ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ନୂଆ ବିପଦ ଦେଖାଦେଇଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଗୋବି ମରୁଭୂମି ପଟୁ ଆସିଥିବା ଧୂଳିଝଡ଼ରେ ଇତିମଧ୍ୟରେ ରାଜଧାନୀ ବେଜିଂର ୩୪୧ ଜଣ ଲୋକ ନିଖୋଜ ରହିଛନ୍ତି। ଇତିମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ଏହି ସଂଖ୍ୟା ଅଧିକ ହେବାର ଆଶଙ୍କା ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଧୂଳିଝଡ଼ ଯୋଗୁ ମଙ୍ଗୋଲିଆର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ଘାଂସୁ, ଶାନାକ୍ସି, ହେବେଇ ଆଦି ପ୍ରଦେଶରେ ପ୍ରଭାବିତ ହୋଇଛି। ବାୟୁମଣ୍ଡଳର ଗୁଣବତ୍ତାମାନ ହ୍ରାସ ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଧୂଳିଝଡ଼ ଯୋଗୁ ରାସ୍ତା ଦିନରେ ମଧ୍ୟରେ ଭଲଭାବେ ଦେଖାଯାଉ ନାହିଁ। ଦିନ ବି ରାତି ଭଳି ଲାଗୁଛି। ବାୟୁମଣ୍ଡଳରେ ଘନ ଧୂଳି ଚାଦର ଘୋଟି ରହିବା ଯୋଗୁ ଏଭଳି ମନେ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ଏଭଳି ଭୟଙ୍କର ଧୂଳିଝଡ଼ ଦେଖାଯାଇ ନ ଥିବା ପାଣିପାଗ ବିଭାଗ କହିଛି।