Categories: ଜାତୀୟ

ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଲୋକାର୍ପିତ, ସେନାର କାର୍ଯ୍ୟ ହେବ ସହଜ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୯: ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଗୁରୁବାର ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଯୋଗଦେଇ କହିଛନ୍ତି ଯେ, ଏହି ନୂତନ କାର୍ଯ୍ୟାଳୟ ସେନା ବାହିନୀର କାର୍ଯ୍ୟକୁ ଅଧିକ ସହଜ କରିବାକୁ ସକ୍ଷମ ହେବ। ସ୍ବାଧୀନତାର ୭୫ ତମ ବର୍ଷରେ ଆମେ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ଦେଶର ରାଜଧାନୀର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ। ଏହି ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ ଆମର ସୈନ୍ୟବାହିନୀର କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଆଭେନ୍ୟୁଠାରେ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସର ସେନା ବାହିନୀକୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେଣ୍ଟ୍ରାଲ ଭିଷ୍ଟାର ନୂତନ ୱେବସାଇଟ ମଧ୍ୟ ଲୋକାର୍ପଣ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରାୟ ୭ ହଜାର କର୍ମଚାରୀଙ୍କ ପାଇଁ ଏକ ନୂତନ କମ୍ପ୍ଲେକ୍ସକୁ ଲୋକାର୍ପଣ କରାଯାଇଛି। ଏହା ପୂର୍ବରୁ କର୍ମଚାରୀମାନେ ସାଉଥ ବ୍ଲକରେ ଥିବା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାୱତ ଏବଂ ସେନାଧ୍ୟକ୍ଷ ଜେନେରାଲ ଏମ. ନରଓ୍ବଣେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପୁରୁଣା ପ୍ରତିରକ୍ଷା କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇଯାଇଥିଲା। ଏହା ଭୁଶୁଡ଼ି ପଡ଼ିଥାନ୍ତା। ଏହି କମ୍ପ୍ଲେକ୍ସକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ନିର୍ମାଣ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଲୁଟିୟନ ଜୋନରେ ଥିବା ଆଫ୍ରିକା ଆଭେନ୍ୟୁରେ ଥିବା ଏହି ନୂତନ ପ୍ରତିରକ୍ଷା କମ୍ପ୍ଲେକ୍ସ କୋଠା ନିର୍ମାଣରେ ୭୭୫ କୋଟି ଟଙ୍କା ବ୍ୟୟ ହୋଇଛି।

Share