ନୂଆଦିଲ୍ଲୀ, ୮।୮(ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି ନବଭାରତର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହିତ ଏଥିରେ ଥିବା ସଂସ୍କାରକୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କୁ ଅନୁରୋଧ କରିଛନ୍ତି। କ’ଣ ଚିନ୍ତା କରିବାକୁ ହେବ ତାହା ଉପରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଗୁରୁତ୍ୱ ଦେଉଥିବାବେଳେ ନୂତନ ଶିକ୍ଷାନୀତି ‘କିପରି ଚିନ୍ତା କରିବାକୁ ହେବ’ ଉପରେ ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ଶୁକ୍ରବାର କହିଛନ୍ତି। ଏନ୍ଇପି ଏକ ସୁସ୍ଥ ବିତର୍କର ବାତାବରଣ ସୃଷ୍ଟି କରିଛି। ଏହା ଉପରେ ଯେତେ ଅଧିକ ଆଲୋଚନା ଓ ବିତର୍କ ହେବ ଶିକ୍ଷା ବିଭାଗ ପାଇଁ ସେତେ ଲାଭଦାୟକ ହେବ ବୋଲି ସେ ମତ ଦେଇଛନ୍ତି। ଏହି ବିଶାଳ ଯୋଜନା କିପରି କାର୍ଯ୍ୟକାରୀ ହେବ ତାହା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଆମେ ସମସ୍ତେ ମିଶି ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ସମସ୍ତଙ୍କୁ ଏଥିରେ ପ୍ରତ୍ୟକ୍ଷ ଭାବେ ଜଡିତ ହେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।