ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ନୂଆ ଶିକ୍ଷାନୀତି ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି କରିବ। ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଶିକ୍ଷାର ସ୍ବାଧୀନତା ଓ ସ୍ବାୟତ୍ତତା ବଢ଼ିବ। ଏହା ଗବେଷଣା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ। ତେବେ ଶିକ୍ଷାବିତ୍, ଶିକ୍ଷାନୁଷ୍ଠାନ ଏବଂ ସରକାର ମିଳିତ ଭାବେ ଗବେଷଣା ଆଧାରିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ୍ ଇଣ୍ଡିଆ ପକ୍ଷରୁ ବୁଧବାର ଆୟୋଜିତ ‘ମୋ ନୂତନ ଶିକ୍ଷାନୀତି (MYNEP)-ଓଡ଼ିଶା ଆମ୍ବାସାଡର ସମ୍ବାଦ’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଥିଲେ।
ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା ଉପରେ ଆଲୋଚନା କରି ସେ କହିଲେ, ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂଲିଶ, ହିନ୍ଦୀ ଓ ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହା ଛାତ୍ରୀଛାତ୍ରଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ। ଶିକ୍ଷା ସମାଜରେ ନୂଆ ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଏବଂ ଜ୍ଞାନ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ। ଆମ ଶିକ୍ଷା ବ୍ୟବସ୍ଥା ରୋଜଗାର ସହ ଯୋଡ଼ି ହୋଇଛି। ଏହାକୁ ଆଧାର କରି ନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରୀଛାତ୍ରଙ୍କ ଉଭୟ ଦକ୍ଷତା ଓ ଚାକିରିକୁ ଗୁରୁତ୍ୱ ଦିଆଯାଇଛି। ଏହା ରୋଜଗାର, ସ୍ବରୋଜଗାର ବଢ଼ଇବା ପାଇଁ ସାହାଯ୍ୟ କରିବା ସହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରୀଛାତ୍ରଙ୍କ ପାଇଁ ଚାକିରି ସୃଷ୍ଟି କରିବ। ଏହାଦ୍ୱାରା ଛାତ୍ରୀଛାତ୍ର ନିଜେ ଆତ୍ମନିର୍ଭର ହେବେ ଓ ଦେଶ ମଧ୍ୟ ଆତ୍ମନିର୍ଭର ହେବ। ଓଡ଼ିଶାର ମୂଳ ପୁଞ୍ଜି ହେଲା ଶିକ୍ଷା। ରାଜ୍ୟରେ ଅନେକ ବୁଦ୍ଧିମାନ ଲୋକ ଅଛନ୍ତି। ଏହି ନୂତନ ଶିକ୍ଷାନୀତି ଦ୍ୱାରା ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ମାଇଁଏନ୍ଇପିରେ ସ୍ବେଚ୍ଛାକୃତ ଭାବେ ପଞ୍ଜୀକୃତ କରିଥିବା ଓଡ଼ିଶାର ୪୦ ହଜାରରୁ ଅଧିକ ଆମ୍ବାସାଡରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।