Categories: ଜାତୀୟ

ମହାମାରୀର ନୂଆ ରୂପ ‘ଆର୍କଟୁରସ୍‌’

ନୂଆଦିଲ୍ଲୀ/ଲଣ୍ଡନ,୨୬ା୪: ସମ୍ପ୍ରତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମହାମାରୀର ଏକ ନୂଆ ରୂପକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଆର୍କଟୁରସ୍‌ ନାମକ ଏହି ଭୂତାଣୁ ହେଉଛି ଓମିକ୍ରନ୍‌ ସବ୍‌-ଭାରିଆଣ୍ଟର ଏକ ଷ୍ଟ୍ରେନ୍‌। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ଏକ୍ସବିବି.୧.୧୬ ଆଖ୍ୟା ଦେଇ ‘ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍ରେଷ୍ଟ’ ଭାବେ ଅଭିହିତ କରିଛି। ବର୍ତ୍ତମାନ ସୁଦ୍ଧା ଆର୍କଟୁରସ୍‌ ସିଙ୍ଗାପୁର, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ଓ ଆମେରିକା ସମେତ ୩୪ ରାଷ୍ଟ୍ରରେ ଚିହ୍ନଟ ହେଲାଣି। ଏଥିରେ ସଂକ୍ରମିତ ହୋଇଥିବା ବ୍ରିଟେନ୍‌ର ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲାଣି। ଏହା ଉପରେ ଡବ୍ଲ୍ୟୁଏଚ୍‌ଓ ମାର୍ଚ୍ଚ ୨୨ରୁ ସତର୍କ ଦୃଷ୍ଟି ରଖିଛି। ସ୍ପାଇକ୍‌ ପ୍ରୋଟିନ୍‌ରେ ଏହାର ଦ୍ୱିତୀୟ ମ୍ୟୁଟେଶନ୍‌ ରହିଥିବା ଲାବରେଟୋରି ପ୍ରୟୋଗ ବେଳେ ଜଣାପଡ଼ିଛି। ଏକ୍ସବିବି.୧.୧୬ ଷ୍ଟ୍ରେନ୍‌ ପୂର୍ବ ଭୂତାଣୁଗୁଡ଼ିକ ତୁଳନାରେ ଦ୍ରୁତ ସଂକ୍ରମଣକାରୀ ହୋଇଥିବା ସତ୍ତ୍ୱେ ଏହା ଅଧିକ ଲୋକଙ୍କୁ ଅସୁସ୍ଥ କରୁ ନ ଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଡବ୍ଲ୍ୟୁଏଚ୍‌ଓ ମତରେ ଏହି ଭାରିଆଣ୍ଟ ଅଧିକ ବିପଜ୍ଜନକ ନୁହେଁ। କୋଭିଡ୍‌-୧୯ ଭୂତାଣୁର ଅନ୍ୟ ଷ୍ଟ୍ରେନ୍‌ଗୁଡ଼ିକ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ସ୍ବାସ୍ଥ୍ୟଗତ ପରାମର୍ଶ ଆର୍କଟୁରସ୍‌ ଲାଗି ମଧ୍ୟ ପ୍ରଯୁଜ୍ୟ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share