ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ୩୧ରେ ନେବେ ଶପଥ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଗାମୀ ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ନୂଆ ରାଜ୍ୟପାଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଜ୍ୟପାଳ ଭାବେ ଶପଥ ନେବେ। ରବିବାର ନୂଆ ରାଜ୍ୟପାଳ ଝାଡ଼ଖଣ୍ଡରୁ ଓଡ଼ିଶା ଅଭିମୁଖେ ବାହାରିଥିଲେ। ସେ ରବିବାର ସନ୍ଧ୍ୟା ୭ଟା ୪୦ରେ ତାଙ୍କ ଜାମସେଦପୁରସ୍ଥିତ ବାସଭବନରୁ କାର୍‌ ଯୋଗେ ଟାଟାନଗର ଜଙ୍କସନ୍‌ ଅଭିମୁଖେ ଆସିଥିଲେ। ସେଠାରୁ ରାତି ୮ଟା ୫ରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ପୁରୀ ଅଭିମୁଖେ ବାହାରିଥିଲେ। ସୋମବାର ଭୋର୍‌ ୫ଟା ୨୫ରେ ପୁରୀ ରେଳ ଷ୍ଟେଶନରେ ପହଞ୍ଚିଛନ୍ତି। ଏହାପରେ ପୁରୀ ରାଜଭବନକୁ ଯିବେ। ସେଠାରୁ ପୂର୍ବାହ୍ନ ୧୦ଟାରେ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ। ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରି ପୁଣି ପୁରୀ ରାଜଭବନକୁ ଫେରିବେ। ସେଠାରୁ ଅପରାହ୍ନ ୧୨ଟା ୧୫ରେ ଭୁବନେଶ୍ବରସ୍ଥିତ ରାଜଭବନ ଅଭିମୁଖେ ଆସିବେ। ଏଠାରେ ସୋମବାର ରାତ୍ରିଯାପନ କରିବେ। ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

Share