Categories: ଜାତୀୟ

ହୋମ ଆଇସୋଲେସନ୍‌ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୬।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା। କିନ୍ତୁ ଏବେ ଏହାକୁ ୭ ଦିନକୁ ହ୍ରାସ କରି ଦିଆଯାଇଛି। ୭ ଦିନ ପରେ ବିନା ଟେଷ୍ଟରେ ଜଣଙ୍କୁ କରୋନା ମୁକ୍ତ ବୋଲି କୁହାଯିବ। ଏହି ଗାଇଡଲାଇନ କେବଳ ଲକ୍ଷଣହୀନ ଓ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲାଗୁ ହେବ। ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି। ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ସଂଶୋଧିତ ଗାଇଡଲାଇନ୍‌ ଜାରି କରିଛନ୍ତି।
ଯଦି ଲଗାତାର ୩ ଦିନ ଜ୍ୱର କିମ୍ବା ଅନ୍ୟ କରୋନା ଲକ୍ଷଣ ଦେଖାଯିବ ନାହିଁ, ତା’ହେଲେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରୁ ମୁକୁଳି ପାରିବେ। ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡିବ। ଗାଇଡଲାଇନରେ କୁହାଯାଇଛି ଯେ ଡାକ୍ତର ହିଁ ଜଣେ କରୋନା ଆକ୍ରାନ୍ତଙ୍କୁ ଲକ୍ଷଣହୀନ କିମ୍ବା ଲକ୍ଷଣଯୁକ୍ତର ପ୍ରମାଣପତ୍ର ଦେବେ। ଡାକ୍ତରଙ୍କ ପରାମର୍ଶକ୍ରମେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ। ସେହିପରି ଆକ୍ରାନ୍ତଙ୍କ ସମ୍ପର୍କରେ ପରାମର୍ଶ ନେବା ପାଇଁ ପରିବାର ଲୋକଙ୍କୁ ଗୋଟିଏ କଣ୍ଟ୍ରୋଲ ରୁମ ନମ୍ବର ଦିଆଯିବ ବୋଲି ଗାଇଡଲାନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share