ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା ସମେତ ପାରଳାଖେମୁଣ୍ଡି ସହର ମଧ୍ୟ ଶଟ୍‌ଡାଉନ ରହିବ। କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ଦିଆଯିବ ବୋଲି ଗଜପତି ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମେ ୧୫ ପର୍ଯ୍ୟନ୍ତ ପାର୍କ, ପାଠାଗାର, ଖେଳପଡ଼ିଆ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିବ ବୋଲି ପତ୍ରରେ ଉଲ୍ଲେଖ ରହିଛି ।
ଶଟ୍‌ଡାଉନ ସମୟରେ ହସ୍ପିଟାଲ, କ୍ଲିନିକ୍‌, ନର୍ସିଂହୋମ, ମେଡିସିନ ଷ୍ଟୋର ଓ ଆମ୍ବୁଲାନ୍ସ କଟକଣା ମୁକ୍ତ ରହିବ। ସାସ୍ଥ୍ୟ କର୍ମଚାରୀ, ଗଣମାଧ୍ୟମ ସଂସ୍ଥା କର୍ମଚାରୀ, ମ୍ୟୁନିସିପାଲିଟି, ପୋଲିସ ଅଗ୍ନିଶମ କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଟେଲିକମ, ଜଳ ଯୋଗାଣ ପରିମଳ, ବିଦ୍ୟୁତ୍‌ ବିଭାଗକୁ କଟକଣାରୁ ବାଦ୍‌ ଦିଆଯାଇଛି। ଏଥିପାଇଁ ସତନ୍ତ୍ର ପାସ ଦରକାର ନାହିଁ। ଟ୍ରେନ ଓ ବିମାନ ଯାତ୍ରୀ ନିଜ ନିଜର ଟିକେଟ ଦେଖାଇ ଯାତାୟାତ କରିପାରିବେ। ରୋଗୀ ଓ ତାଙ୍କ ସହାୟକ ବିଶ୍ୱାସଯୋଗ୍ୟ ପ୍ରମାଣପତ୍ର ଦେଖାଇ ଯାଇ ପାରିବେ। ଶଟ୍‌ଡାଉନରେ ମାଲବାହୀ ଗାଡି ମଧ୍ୟ ଚଳାଚଳ କରିପାରିବ। ଶିଳ୍ପାନୁଷ୍ଠାନ ଓ ଆଇଟି ସଂସ୍ଥା ଚାଲୁ ରହିବ। କୃଷି,ମତ୍ସ୍ୟ ଚାଷ କାମ ହୋଇପାରିବ । ଏଥିସହ ଘରେ ଖାଦ୍ୟ ପହଞ୍ଚାଉଥିବା ଅନ୍‌ଲାଇନ୍‌ ସଂସ୍ଥା କାମ କରିପାରିବେ। ଖାଦ୍ୟ ଓ ତେଜରାତି ଦୋକାନ ହୋମ୍‌ ଡେଲିଭରି ଦେଇପାରିବେ। ରାସ୍ତା ପାର୍ଶ୍ୱ ଢାବା ଖୋଲା ରହିବ କିନ୍ତୁ ସେଠାରେ ଖାଇବା ପାଇଁ ବାରଣ କରାଯାଇଛି। ହୋଟେଲଗୁଡିକରେ ଖାଦ୍ୟକୁ ପାର୍ଶଲ ଦିଆଯିବ ଏବଂ ପେଟ୍ରୋଲ ପମ୍ପ ଓ ଏଟିଏମ୍‌ କାଉଣ୍ଟର ଖୋଲା ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପତ୍ରରେ ଦର୍ଶାଯାଇଛି ।