ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି। ସେ ଫୁଲବାଣୀ ଏସ୍‌ପି କାର୍ଯ୍ୟାଳୟରୁ ଏଠାକୁ ବଦଳି ହୋଇ ଆସିଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ଗୋଛାପଡା ଥାନାକୁ ବଦଳି ହୋଇଛି। ଆଇଆଇସି କାର୍ଯ୍ୟରେ ଯୋଗଦାନ କରିବା ପରେ ଶୁକ୍ରବାର ସକାଳୁ ସେ ଫୁଲବାଣୀ ଏସ୍‌ପି ଅଫିସକୁ କ୍ରାଇମ୍‌ ମିଟିଂରେ ଯୋଗଦାନ କରିବାକୁ ଯାଇଛନ୍ତି।

ସେ ନୂଆ କରି ଯୋଗଦେବା ପରେ ନିଜ ପ୍ରତିକ୍ରିୟାରେ ବ୍ରାହ୍ମଣୀଗାଁ ଥାନାରେ ରହିଥିବା ଅନେକ ସମସ୍ୟାର ସମାଧାନ ପାଇଁ ସେ ପ୍ରୟାସ କରିବା ସହ ଲୋକଙ୍କ ପାଇଁ ପୋଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି। ସେ କହିଛନ୍ତି, ବ୍ରାହ୍ମଣୀଗାଁରେ ରହିଥିବା ଟ୍ରାଫିକ୍‌ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ସହ ଆପରାଧିକ ନିୟନ୍ତ୍ରଣ, ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯିବ। ଏଥିସହ ଉକ୍ତ ଥାନା ଅଧୀନରେ ରହିଥିବା ୮ଟି ପଞ୍ଚାୟତ ଅଞ୍ଚଳରେ ଚୋରାମଦ କାରବାରକୁ ରୋକିବା ସହ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରିବାକୁ ପୋଲିସ ପଦକ୍ଷେପ ନେବ। ଏହା ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିଥିବା ସେ କହିଛନ୍ତି। ଏଥିସହ ଅଞ୍ଚଳବାସୀ ପୋଲିସକୁ ଯେକୌଣସି ସମୟରେ ମଧ୍ୟ ନିଜ ଅଭିଯୋଗ ଜଣାଇ ପାରିବେ ବୋଲି ସେ କହିଛନ୍ତି। ଆଇଆଇସି ଥାନାରେ ପହଞ୍ଚିବା ପରେ ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ।