ସଞ୍ଜୟ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ରାଜସ୍ବ ସଚିବ ଥିଲେ। ମାଲହୋତ୍ରା ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମାଲହୋତ୍ରାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଜଣେ ବରିଷ୍ଠ ବାବୁ ଭାବେ ଦାସଙ୍କର ବିବାଦୀୟ ପ୍ରଶ୍ନଗୁଡ଼ିକରୁ ଦୂରେଇ ରହିବାରେ ଅଦ୍ଭୁତ ସାମର୍ଥ୍ୟ ରହିଥିଲା। ଆର୍ବିଆଇରେ ଦାସଙ୍କ କାର୍ଯ୍ୟକାଳ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି। ବିଶେଷକରି ଆର୍ଥିକ ଅସ୍ଥିରତା ସମୟରେ ସ୍ଥିରତା ଏବଂ ଅନୁଭବୀ କାର୍ଯ୍ୟ ତାଙ୍କ କାର୍ଯ୍ୟକାଳର ପ୍ରତୀକ ହୋଇପାରିଛି। ୨୦୧୮ରେ ଉର୍ଜିତ ପଟେଲଙ୍କ ଅପ୍ରତ୍ୟାଶିତ ପ୍ରସ୍ଥାନ ପରେ ଦାସଙ୍କୁ ଆର୍ବିଆଇ ଗଭର୍ନର ଭାବେ ନିଯୁକ୍ତ କରାଯାଇଥିଲା। ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ଆର୍ବିଆଇକୁ ଠିକ୍ ଭାବେ ପରିଚାଳନା କରିଥିଲେ। ଏଥିପାଇଁ ତାଙ୍କ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଥିଲା। ତେବେ ଦାସଙ୍କ ପରେ ଏବେ ମାଲହୋତ୍ରାଙ୍କୁ ନିଯୁକ୍ତି ଦେବା ପଦକ୍ଷେପରୁ ସଙ୍କେତ ମିଳୁଛି ଯେ, କାର୍ଯ୍ୟଦକ୍ଷତା ମାନକ ଆଧାରରେ ମନୋନୀତ ପ୍ରାର୍ଥୀଙ୍କ ତୁଳନାରେ ଅଭିଜ୍ଞ ପ୍ରଶାସକ ପାଇଁ ସରକାରଙ୍କର ଅଧିକ ପସନ୍ଦ ରହିଛି। ଦାସଙ୍କ ନେତୃତ୍ୱ ନିରନ୍ତରତା ଏବଂ ନିୟନ୍ତ୍ରଣକୁ ସୂଚିତ କରିଛି। ଏହା ମଧ୍ୟ ସ୍ବାଧୀନ ଚିନ୍ତାଧାରାକୈନ୍ଦ୍ରିକ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍ରେ ଏକ ପରିବର୍ତ୍ତନ ଆଣିଛି। ତେବେ ମାଲହୋତ୍ରା ଗଭର୍ନର ଦାୟିତ୍ୱ ନେଇଥିବାବେଳେ ସରକାରଙ୍କ ଆଶା ଓ ଆର୍ବିଆଇର ସ୍ବାଧୀନତା ମଧ୍ୟରେ ସେ କିଭଳି ସମନ୍ବୟ ରକ୍ଷା କରିବେ, ତାହା ଉପରେ ଆର୍ଥିକ କ୍ଷେତ୍ର ସହ ଜଡ଼ିତ ବର୍ଗ ତୀକ୍ଷ୍ଣ ନଜର ରଖିବେ। ଦାୟିତ୍ୱ ହସ୍ତାନ୍ତର ସରିଛି, ହେଲେ ମୁଦ୍ରାସ୍ଫୀତି, ଅଭିବୃଦ୍ଧି ଏବଂ ବୈଶ୍ୱିକ ବିତ୍ତୀୟ ଜଟିଳତାର ଆହ୍ବାନଗୁଡ଼ିକର ଚାପ ପୂର୍ବଭଳି ରହିବ।
ସିବିଆଇର ପୁନର୍ଗଠନ
ସରକାର ଜାରି କରିଥିବା ନୂତନ ନିୟମକୁ ଭିତ୍ତିକରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ପୁନର୍ଗଠନ ହେଉଛି। ଏହି ନିୟମର ଲକ୍ଷ୍ୟ ହେଉଛି ପୋଲିସ ଅଧୀକ୍ଷକ (ଏସ୍ପି) ସ୍ତରୀୟ ପଦବୀ ଭାରତୀୟ ପୋଲିସ ସେବା (ଆଇପିଏସ୍) ବ୍ୟତୀତ ଅନ୍ୟ ପ୍ରଫେସନାଲମାନଙ୍କ ପାଇଁ ଉନ୍ମୁକ୍ତ ରଖିବା। ଏ ପର୍ଯ୍ୟନ୍ତ ୭୫ ଜଣ ଏସ୍ପି ସ୍ତରୀୟ ଡେପୁଟେଶନ ପୋଷ୍ଟ ମଧ୍ୟରୁ କେବଳ ୧୫ ଟି ଅଣପୋଲିସ ପୃଷ୍ଠଭୂମିରୁ ଆସିଥିବା ଅଧିକାରୀଙ୍କ ଦ୍ୱାରା ପୂରଣ ହୋଇପାରିବ ବୋଲି ନିୟମ ରହିଛି। କିନ୍ତୁ ଏବେ ଏହି ସଂଖ୍ୟା ୧୮କୁ ବଢ଼ାଯାଇଛି। ନୂତନ ନିୟମ ସିବିଆଇର ଅଧା ଏସ୍ପି ପୋଷ୍ଟକୁ ଡେପୁଟେଶନ ଏବଂ ବାକିସବୁ ପଦୋନ୍ନତି ମାଧ୍ୟମରେ ପୂରଣ କରିବାକୁ ଅନୁମତି ଦିଏ । ଆଇପିଏସ୍ ଅଧିକାରୀମାନଙ୍କ ସହ ଅଲ୍ ଇଣ୍ଡିଆ ସର୍ଭିସ୍, କେନ୍ଦ୍ରୀୟ ପୋଲିସ ସଂଗଠନ, କେନ୍ଦ୍ର ସରକାରଙ୍କ ସଂଗଠିତ ‘ ଗ୍ରୁପ୍ ଏ’ ସେବା, ଏପରିକି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୋଲିସ ସଂଗଠନର ସଦସ୍ୟଙ୍କ ପାଇଁ ଏହା ଖୋଲାରହିବ। ଜଟିଳ ଆର୍ଥିକ ଅପରାଧ ଏବଂ ବହୁମୁଖୀ ଅନୁସନ୍ଧାନକୁ ଭଲ ଭାବରେ ପରିଚାଳନା କରିବା ପାଇଁ ସିବିଆଇକୁ ପ୍ରସ୍ତୁତ କରିବା ଏହି ପରିବର୍ତ୍ତନର ଲକ୍ଷ୍ୟ । ଅନେକେ ଦାବି କରୁଛନ୍ତି ଯେ, ସିବିଆଇରେ ବିଶେଷକରି ଫରେନସିକ ଅଡିଟ, ଆର୍ଥିକ ବିଶ୍ଳେଷଣ ଏବଂ ସାଇବର କ୍ରାଇମ ଟ୍ରାକିଂ ସକାଶେ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି। ସିବିଆଇରେ ଥିବା ଅଧିକାରୀଙ୍କ ସହ ଏହିପରି କୁଶଳୀ ଗୋଷ୍ଠୀ ତାହାକୁ ଠିକ୍ ବାଟରେ ପରିଚାଳିତ କରିବେ। ସେମାନେ କହନ୍ତି ଯେ, ଏକବିଂଶ ଶତାବ୍ଦୀରେ ଅପରାଧଗୁଡ଼ିକର ମୁକାବିଲା କରିବା ପାଇଁ ଭିନ୍ନ ବିଚାର ସମ୍ପନ୍ନ ବିଶେଷଜ୍ଞ ଦରକାର ଏବଂ ଏବେ ସିବିଆଇ ଏଭଳି ପରିବର୍ତ୍ତନକୁ ଗ୍ରହଣ କରିବ ବୋଲି ମନେ ହେଉଛି।
ସେବିରେ ଅସନ୍ତୋଷ
ସୁକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି)ର ଏବକାର ଏକ ଘଟଣା ଏହାର ର଼୍ୟାଙ୍କଗୁଡ଼ିକ ମଧ୍ୟରେ ବଡ଼ ବିଭେଦ ସୃଷ୍ଟି କରିପାରେ । ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚ୍ୟୁଏଲ୍)ର ପୂର୍ବତନ ଟିକସ ମୁଖ୍ୟ ଶିଖା ଗୁପ୍ତାଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିବା ଯୋଗୁ ସେବିର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହିଣ୍ଡେନବର୍ଗ ରିପୋର୍ଟରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ସମୟରେ ଏଭଳି ଅସନ୍ତୋଷ ପ୍ରକାଶ ପାଇଛି। ବୁଚ୍ଙ୍କ ସହ ଗୁପ୍ତାଙ୍କର ସମ୍ପର୍କ ରହିଥିବା ଗୁଜବ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଏଚ୍ୟୁଏଲ୍ ସହିତ ତାଙ୍କ ସ୍ବାମୀଙ୍କର ଦୀର୍ଘ ଦିନର ସମ୍ପର୍କ ରହିଥିବାରୁ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ସମାଲୋଚକମାନେ ଯୁକ୍ତି କରନ୍ତି ଯେ, ବାହ୍ୟ ନିଯୁକ୍ତି ଅସନ୍ତୋଷ ସୃଷ୍ଟି କଲେ ମଧ୍ୟ ତାହା ନୂତନ ଦୃଷ୍ଟିକୋଣ ଆଣିପାରେ। ଶିଖା ଗୁପ୍ତାଙ୍କ କର୍ପୋରେଟ ଅଭିଜ୍ଞତା ସମ୍ଭବତଃ ସେବିକୁ ବିଶେଷକରି ଟିକସ ଜଟିଳତା ଉପରେ ଅଭିନବ ଆଭିମୁଖ୍ୟ ନେବାକୁ ପ୍ରେରିତ କରିପାରେ। ହେଲେ ଗୁପ୍ତାଙ୍କ ନିଯୁକ୍ତିକୁ ଏହାର କର୍ମଚାରୀମାନେ ନିଜ ପ୍ରତିଭାକୁ ଅଣଦେଖା କରାଯିବା ଅନ୍ୟତମ ଉଦାହରଣ ଭାବେ ଦେଖୁଛନ୍ତି। ୨୦୨୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ପ୍ରମୋଦ ରାଓଙ୍କୁ ଆଣି ନିଯୁକ୍ତି ଦିଆଯାଇଥିଲା,ଯାହା ଅସନ୍ତୋଷ ସୃଷ୍ଟି କରିଥିଲା। ଏଠାରେ ବଡ଼ ପ୍ରସଙ୍ଗ ହେଉଛି ସେବିର ସ୍ବାଧୀନତା କ୍ଷୁଣ୍ଣ ହେଉଥିବା ବିଚାର କରାଯାଉଛି। ଏଭଳି ସ୍ଥିତିରେ ସେବି ଏହାର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ତା’ ପ୍ରତି ହ୍ରାସ ପାଇଥିବା ବିଶ୍ୱାସକୁ ଫେରାଇ ଆଣିବା ଦରକାର। ବାହ୍ୟ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଏବଂ ଏହାର ଆଭ୍ୟନ୍ତରୀଣ କର୍ମଚାରୀଙ୍କ ସହିତ ଦୃଢ଼ ଯୋଗାଯୋଗ ରଖାଯାଇ ପାରିଲେ ଏଭଳି ଅସନ୍ତୋଷକୁ ଦୂର କରାଯାଇପାରିବ।
Email: dilipcherian@gmail.com