ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ୍‌ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ବିଶ୍ୱ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ୍‌ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ। ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଏହି ଯୋଜନା ସହିତ ଯୋଡ଼ି ଜନଜାତିଙ୍କ ଜୀବିକାରେ ସ୍ଥାୟିତ୍ୱ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ।

ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ ଜନଜାତି ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ। କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ,  ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ୟୁଏନ୍‌ଡିପି ବେସରକାରୀ ଅନୁଷ୍ଠାନ ବସୁନ୍ଧରା, ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧି ଏବଂ ବିଭିନ୍ନ ଜିଲାର ଜନଜାତି ହିତାଧିକାରୀମାନେ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ରୁପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Share