ରହିତାଦେଶ ଉଠାଇବାକୁ ସାନି ମାମଲା

କଟକ ଅଫିସ,୧୩।୮: ବାରିପଦା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମଙ୍ଗଳବାର ପୁଣି ଏକ ସାନି ମାମଲା ହୋଇଛି। ଏଥିରେ ପକ୍ଷଭୁକ୍ତ ହେବା ପାଇଁ ମଙ୍ଗଳବାର ଜମାକାରୀ ସତ୍ୟବ୍ରତ ମହାନ୍ତି ଓ ଅନ୍ୟମାନେ ହାଇକୋର୍ଟରେ ଆବେଦନ କରିଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ବିଚାରପତି ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନ ଗ୍ରହଣ କରି ୨ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଉଭୟ ମାମଲାର ଏକତ୍ର ଶୁଣାଣି କରାଯିବ। ପୂର୍ବରୁ ଜଣିକିଆ ବିଚାରପତି ଦେଇଥିବା ଆଦେଶ ଉପରେ ହାଇକୋର୍ଟ ଯେଉଁ ରହିତାଦେଶ ଜାରି କରିଥିଲେ, ତାହା ବଳବତ୍ତର ରହିବ।
ସୂଚନା ଅନୁଯାୟୀ, ବ୍ୟାଙ୍କ ପରିଚାଳନାରେ ତ୍ରୁଟି ଦର୍ଶାଇ ୨୦୧୪ରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏହାର ଲାଇସେନ୍ସ ବାତିଲ କରିଥିଲା। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ହୋଇଥିଲା। ଗତ ଜୁନ୍‌ ୨୫ରେ ମାମଲାର ଶୁଣାଣି ବେଳେ ବ୍ୟାଙ୍କର ୭୨ ହଜାର ଜମାକାରୀ ଟଙ୍କା ଉଠାଇପାରିବେ ବୋଲି ହାଇକୋର୍ଟଙ୍କ ଜଣିକିଆ ବିଚାରପତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଥିଲା। ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁଲାଇ ୨୭ରେ ଏହି ଆବେଦନର ଶୁଣାଣି କରି ପୂର୍ବ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି ବେଳେ ପକ୍ଷଭୁକ୍ତ ହେବା ପାଇଁ ଜମାକାରୀ ସତ୍ୟବ୍ରତ ମହାନ୍ତି ଓ ଅନ୍ୟ ଜମାକାରୀଙ୍କ ପକ୍ଷରୁ ଆଇନଜୀବୀ ନିରଞ୍ଜନ ଲେଙ୍କା ହାଇକୋର୍ଟରେ ଏକ ପିଟିସନ୍‌ ରୁଜୁ କରିଥିଲେ। ଏଥିରେ ରହିତାଦେଶ ହଟାଇ ଜମା ଅର୍ଥ ଫେରସ୍ତ ପାଇଁ ନିବେଦନ କରାଯାଇଛି। ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଆଇନଜୀବୀ ଅଶୋକ ମହାନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଭୁ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।

Share