ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋଙ୍କୁ ପସନ୍ଦ କରନ୍ତି ନାହିଁ କାନାଡାବାସୀ

ଅଟାଓ୍ବା,୨୨।୯: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ଭାରତର ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ତେବେ ଏହାରି ଭିତରେ ଏକ ସର୍ଭେ ଦ୍ୱାରା ସୂଚନା ମିଳିଛି କି, ପ୍ରଧାନମନ୍ତ୍ରୀ ପଦରେ ଜଷ୍ଟିନ ଟ୍ରୁଡୋଙ୍କୁ କାନାଡାବାସୀ ବେଶୀ ପସନ୍ଦ କରନ୍ତି ନାହିଁ।

କାନାଡର ନ୍ୟୁଜ ପ୍ଲାଟଫର୍ମ ଗ୍ଲୋବାଲ ନ୍ୟୁଜ ଦ୍ୱାରା କରାଯାଇଥିବା ଏକ ନୂତନ ଇପ୍ସୋସ ସର୍ଭେ ଅନୁଯାୟୀ, ୪୦ପ୍ରତିଶତ କାନାଡିୟଙ୍କ ପସନ୍ଦର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ବିରୋଧୀ କଞ୍ଜରଭେଟିଭ ପାର୍ଟି ନେତା ପିୟେର ପୋଏଲିଭ୍ରେ। କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଲିଷ୍ଟରେ ବହୁତ ପଛରେ ପଡିଯାଇଛନ୍ତି।

୨୦୨୫ରେ ହେବାକୁ ଥିବା ନିର୍ବାଚନରେ କଞ୍ଜରଭେଟିଭ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାର ଅଧିକ ସମ୍ଭାବନା ରହିଛି ବୋଲି ଗ୍ଲୋବାଲ ନ୍ୟୁଜ ନିଜ ରିପୋର୍ଟରେ ଦର୍ଶାଇଛି। କଞ୍ଜରଭେଟିଭ ପାର୍ଟି ନେତା ପିୟେର ପୋଏଲିଭ୍ରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ସର୍ଭେରେ କୁହାଯାଇଛି ଯେ, ପ୍ରାୟ ୪୦ପ୍ରତିଶତ କାନାଡିୟ କହିଛନ୍ତି ଯେ ପିୟେର ପ୍ରଧାନମନ୍ତ୍ରୀ ପଦ ପାଇଁ ସେମାନଙ୍କର ସର୍ବୋତ୍ତମ ପସନ୍ଦ। ପୂର୍ବ ବର୍ଷ ଠାରୁ ତାଙ୍କ ଲୋକପ୍ରିୟତା ପାଞ୍ଚଗୁଣ ଅଧିକ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ, ପିଏମ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୩୧ପ୍ରତିଶତ ଲୋକ ପସନ୍ଦ କରିଛନ୍ତି।
ଦେଶର ଅର୍ଥନୀତି, ସ୍ବାସ୍ଥ୍ୟସେବା ଏବଂ ଗୃହ ଭଳି ପ୍ରମୁଖ ପ୍ରସଙ୍ଗକୁ ନେଇ ଏହି ସର୍ଭେରୁ ଜଣାପଡିଛି ଯେ କାନାଡାର ଅଧିକାଂଶ ଜନସଂଖ୍ୟା ବିଶ୍ୱାସ କରନ୍ତି ଯେ ପୋଏଲିଭ୍ରେ ଏହି ତିନୋଟି କ୍ଷେତ୍ରରେ ଦେଶର ସର୍ବୋତ୍ତମ ବିକାଶ କରିପାରିବେ।

ତେବେ ନିଜାରଙ୍କ ହତ୍ୟା ଘଟଣାରେ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପୋଏଲିଭ୍ରେ ନିଜର ବୟାନ ଜାରି କରିଛନ୍ତି। ସେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଟ୍ରୁଡୋ ହତ୍ୟାକୁ ନେଇ ସମସ୍ତ ତଥ୍ୟ ଉପସ୍ଥାପନା କରନ୍ତୁ। ଏହାଦ୍ୱାରା ସମସ୍ତେ ଘଟଣାକୁ ନେଇ ସ୍ପଷ୍ଟ ସୂଚନା ପାଇପାରିବେ। ଆମକୁ ସମସ୍ତ ସମ୍ଭାବ୍ୟ ପ୍ରମାଣ ଜାଣିବା ଆବଶ୍ୟକ ଯାହା ଦ୍ୱାରା କାନାଡିୟମାନେ ଏହା ଉପରେ ସଠିକ୍‌ ନିଷ୍ପତ୍ତି ନେଇ ପାରିବେ। କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି ସେ କେବଳ ସଂସଦରେ ବିବୃତ୍ତି ଦେଇଛନ୍ତି।

Share