ଇସଲାମାବାଦ, ୨୭।୭ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଏମ୍ଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହୀଙ୍କୁ ନିଯୁକ୍ତ କରାଯାଇଛି। ସେ ବୁଧବାର ପୂର୍ବାହ୍ନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ପୁଅ ହାମଜା ଶାହାବାଜଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଏହା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ପାକିସ୍ତାନର ଜିଓ ନ୍ୟୁଜ ପକ୍ଷରୁ ଏହି ଖବର ଆସିଛି।
ପଞ୍ଜାବ ବିଧାନସଭାର ଉପବାଚସ୍ପତିଙ୍କ ୧୦ ଟି ଭୋଟ ଖାରଜ କରିବା ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବ ବିଧାନସଭାର ଉପ ବାଚସ୍ପତି ଦୋସ୍ତ ମହମ୍ମଦ ମଜାରୀଙ୍କ ନିଷ୍ପତ୍ତି ବିରୋଧରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥିତ ପରଭେଜ ଇଲାହୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ କୋର୍ଟଙ୍କ ନିଷ୍ପତ୍ତି ପରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।