ନ୍ୟାୟ ପ୍ରଦାନରେ ନୂଆ ରେକର୍ଡ

ସାଧାରଣ ଲୋକଙ୍କ ପାଇଁ ବିଚାର ପ୍ରକ୍ରିୟା ଥିଲା ଦୁର୍ବୋଧ୍ୟ ଓ ଅଜ୍ଞାତ। ଏବେ ସବୁ କିଛି ମୁକ୍ତ ଓ ସହଜ ହେବାରେ ଲାଗିଛି। ନାଲିକୋଠା ଭୟ, ଆଶଙ୍କା କି ଉଦ୍‌ବେଗର ଜାଗା ନୁହେଁ ଏଭଳି ବିଶ୍ୱାସ ତିଆରି ହେଉଛି ସାଧାରଣ ଲୋକଙ୍କ ମନରେ। କଟକଣାର କବାଟ ନିଜଆଡ଼ୁ ଖୋଲି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ନ୍ୟାୟିକ ବ୍ୟବସ୍ଥାକୁ ସହଜ, ସରଳ ଓ ସମ୍ପ୍ରସାରିତ କରାଯାଉଛି । ପିଲାମାନେ ବୁଲି ଦେଖୁଛନ୍ତି ହାଇକୋର୍ଟ। ଜାଣୁଛନ୍ତି ନ୍ୟାୟ ପ୍ରକ୍ରିୟାକୁ। ବୈଷୟିକ ଜ୍ଞାନକୌଶଳ ଯୋଗୁ ଆଜି ପ୍ରତି ଜିଲା ଯୋଡ଼ି ହେଉଛି ହାଇକୋର୍ଟଙ୍କ ସହ। ତ୍ୱରିତ ଶୁଣାଣି ହୋଇ ଫଇସଲା ହେଉଛି ମାମଲା। କଏଦୀଙ୍କ ପାଇଁ ମୁକ୍ତିର ବାଟ ପ୍ରଶସ୍ତ ହେଉଛି। ୨୦୨୨ରେ ହାଇକୋର୍ଟଙ୍କ ଏକ ଉଦାର ପରିବର୍ତ୍ତିତ ରୂପ ମୁଗ୍ଧ କରିଛନ୍ତି ସମସ୍ତଙ୍କୁ। ଆହୁରି ଆଶ୍ୱସ୍ତ ହୋଇଛନ୍ତି ନିର୍ଯାତିତ, ନିଷ୍ପେଷିତ ଲୋକ। ଏଇ ଭରସାରେ ଯେ ସେମାନଙ୍କ ପାଇଁ କେହି ଅଛି।
ରାଜ୍ୟ ବିଚାର ବ୍ୟବସ୍ଥା ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନୂଆ ରେକର୍ଡ କରିବାରେ ଲାଗିଛି। ଭିତ୍ତିଭୂମି ଓ ଶୁଣାଣି ବ୍ୟବସ୍ଥାରେ ଗତିଶୀଳତା କାରଣରୁ କେବଳ ହାଇକୋର୍ଟ ନୁହେଁ, ଜିଲା ଜଜ୍‌ କୋର୍ଟଠାରୁ ଆରମ୍ଭ କରି ଫାଷ୍ଟଟ୍ରାକ୍‌ କୋର୍ଟ ସବୁଠି ମାମଲା ଫଇସଲା କ୍ଷେତ୍ରରେ ରେକର୍ଡ ସଫଳତା ମିଳିଛି। ଗତବର୍ଷ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି ଓଡ଼ିଶା ହାଇକୋର୍ଟରେ। ଏଥର ହାଇକୋର୍ଟରେ ରେକର୍ଡ ୧୩୩ ପ୍ରତିଶତ ମାମଲାର ଫଇସଲା ହୋଇଛି। ଅର୍ଥାତ୍‌ ଗତବର୍ଷ ଯେତିକି ମାମଲା ରୁଜୁ ହୋଇଛି ତା’ଠାରୁ ଯଥେଷ୍ଟ ଅଧିକ ମାମଲାର ସମାଧାନ ହୋଇଛି। ପୂର୍ବବର୍ଷ ଅପେକ୍ଷା ଗତବର୍ଷ ଜିଲା କୋର୍ଟରେ ମାମଲା ସମାଧାନ ହାର ୫୩% ଅଧିକ ରହିଥିବାବେଳେ ତ୍ୱରିତ ମାମଲା ଶୁଣାଣି କ୍ଷେତ୍ରରେ ଫାଷ୍ଟଟ୍ରାକ୍‌ କୋର୍ଟ ମାମଲା ସଫଳତା ହାସଲ କରିଛି। ହାଇକୋର୍ଟଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ, ମାମଲା ସମାଧାନ କ୍ଷେତ୍ରରେ ଗତବର୍ଷ ଏହି ଅଦାଲତ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୧୮ରେ ୬୨,୫୬୬ ମାମଲା ରୁଜୁ ହୋଇଥିଲା ଓ ୬୩,୨୩୬ ମାମଲା ସମାଧାନ ହୋଇଥିଲା। ୨୦୧୯ରେ ୮୧,୧୨୧ଟି ମାମଲା ରୁଜୁ ହୋଇ ୯୩,୨୨୪ଟି ମାମଲାର ସମାଧାନ, ୨୦୨୦ରେ ୮୩, ୪୯୯ ମାମଲା ରୁଜୁ ହୋଇ ୬୧,୩୩୫ ମାମଲା ସମାଧାନ ହୋଇଥିଲା।
ତେବେ ୨୦୨୧ରେ କରୋନା ସତ୍ତ୍ୱେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ, ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି, ଇ-ଫାଇଲିଂ ଆଦି ବ୍ୟବସ୍ଥା କାରଣରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାମଲା ଶୁଣାଣି ତ୍ୱରାନ୍ବିତ ହୋଇଥିଲା। ୨୦୨୧ରେ ହାଇକୋର୍ଟରେ ୧ଲକ୍ଷ ୨୮ ହଜାର ୭୮୬ଟି ମାମଲା ରୁଜୁ ହୋଇଥିଲାବେଳେ ୧ଲକ୍ଷ ୫ହଜାର ୧୮୨ଟି ମାମଲାର ସମାଧାନ ହୋଇଥିଲା। କିନ୍ତୁ ଗତବର୍ଷ ଏହି ରେକର୍ଡ ବି ଭାଙ୍ଗିଯାଇଛି। ଚଳିତ ବର୍ଷ ଶୀତ ଅବକାଶ ଭିତରେ ହାଇକୋର୍ଟରେ ୧ଲକ୍ଷ ୨ହଜାର ୨୪୭ଟି ମାମଲା ରୁଜୁ ହୋଇଥିଲାବେଳେ ୧ଲକ୍ଷ ୩୬ହଜାର ୫୯୯ଟି ମାମଲାର ଫଇସଲା ହୋଇପାରିଛି। ରାଜ୍ୟର ବିଭିନ୍ନ ଜିଲା ଜଜ୍‌ କୋର୍ଟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫୩.୨୮% ଅଧିକ ମାମଲା ସମାଧାନ ହୋଇଛି। ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସ୍ଥାନ ୯୬୨ ଥିଲାବେଳେ ସେହି ସ୍ଥାନରେ ୭୬୬ ଜଣ କାର୍ଯ୍ୟ କରୁଥିଲେ। ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିଲାବେଳେ ଏହି ସ୍ଥାନରେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି। ୨୦୨୧ରେ ଜଣେ ବିଚାରପତି ମୁଣ୍ଡ ପିଛା ୩୧୧ଟି ମାମଲାର ଫଇସଲା କରୁଥିବାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚଛି। ଅନ୍ୟପକ୍ଷରେ ବଳାତ୍କାର ଏବଂ ପୋକ୍‌ସୋ ମାମଲାଗୁଡ଼ିକର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରାଯାଇଥାଏ। ଗତବର୍ଷ ଜାନୁୟାରୀ ୨୬ତାରିଖ ମଧ୍ୟରେ ଏହିସବୁ କୋର୍ଟରେ ୧୦୪୨ଟି ବଳାତ୍କାର ମାମଲା ରୁଜୁ କରାଯାଇଛି। ସେଥିରୁ ୧୨୫ଟି ମାମଲାର ସମାଧାନ କରାଯାଇଛି। ପୋକ୍‌ସୋ ଆଇନ ଅଧୀନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରରେ ଗୋଟିଏ ପରିବାର ଅଦାଲତ ଓ ୨ଟି ମହିଳା କୋର୍ଟ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରେ ବିଚାର ବ୍ୟବସ୍ଥା ଅତ୍ୟନ୍ତ ଗତିଶୀଳ ଓ ସୁଦୃଢ଼ ହେବା ସହ ଜନାଭିମୁଖୀ ହୋଇଛି ଏବଂ ଲୋକମାନଙ୍କର ଆଇନ ବ୍ୟବସ୍ଥା ଉପରେ ଅଖଣ୍ଡ ବିଶ୍ୱାସ ବଢ଼ିଛି।

– ସୌର ଚନ୍ଦ୍ର ମହାପାତ୍ର
ବରିଷ୍ଠ ଆଇନଜୀବୀ, ଓଡ଼ିଶା
ହାଇକୋର୍ଟ, କଟକ
soura999mohapatra@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri