ରିଜର୍ଭ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଡ. ସାରଦା ପ୍ରସନ୍ନ ମହାନ୍ତି ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଡ. ମହାନ୍ତି ଆର୍‌ବିଆଇର ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ଏପରିକି ସେ ଆର୍‌ବିଆଇ ନୂଆଦିଲ୍ଲୀ, କୋଲକାତା ଏବଂ ଭୁବନେଶ୍ୱର ଭଳି କାର୍ଯ୍ୟାଳୟରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ନିୟମ ପ୍ରଣୟନ, ନିରୀକ୍ଷଣ, ବୈଷୟିକ ଜ୍ଞାନକୌଶଳ, ମୁଦ୍ରା ପରିଚାଳନା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ମାନବ ସମ୍ଭଳ ପରିଚାଳନା ଆଦି କ୍ଷେତ୍ରରେ ମହାନ୍ତିଙ୍କର ଦୀର୍ଘ ଅଭିଜ୍ଞତା ଓ ଜ୍ଞାନ ରହିଛି। ଅପରପକ୍ଷରେ ସେ ଆମେରିକା, ସୁଇଜରଲାଣ୍ଡ, ଅଷ୍ଟ୍ରେଲିଆ, ୟୁକ୍ରେନ୍‌, ନ୍ୟୁଜିଲାଣ୍ଡ ଏବଂ ସିଙ୍ଗାପୁର ଭଳି ସହରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବୈଠକ ଯଥା ଫେଡେରାଲ୍‌ ରିଜର୍ଭ, ବାସେଲ କମିଟି, କ୍ରେଡିଟ୍‌ ରିପୋର୍ଟିଂ ଭଳି ବହୁ ଅନ୍ତର୍ଜାତିକ କମିଟିର ବୈଠକରେ ମଧ୍ୟ ମହାନ୍ତି ଆର୍‌ବିଆଇ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମହାନ୍ତି ଆଇଆଇଏମ୍‌ (ବାଙ୍ଗାଲୋର) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ଆଲୁମ୍‌ନି ଭାବେ ଜଣାଶୁଣା। ସେହିଭଳି ସେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ଅଷ୍ଟିନ ବିଶ୍ୱବିଦ୍ୟାଳୟରୁ ଡାଟା ଆନାଲିଟିକ୍ସରେ ମଧ୍ୟ ଆଡାଭାନ୍ସଡ୍‌ ଡିଗ୍ରୀ ମଧ୍ୟ ଲାଭ କରିଛନ୍ତି।

Share