ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…

ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ସାଧାରଣ ବୀମା ପରିଷଦ (ଜିଆଇସି) ପଲିସିଧାରୀଙ୍କ ସ୍ବାର୍ଥ ପାଇଁ ଏହି ନିଷ୍ପତ୍ତି ନେଇଛି। ସାଧାରଣ ତଥା ସ୍ବାସ୍ଥ୍ୟ ବୀମା କମ୍ପାନୀଗୁଡିକ ସହ ଆଲୋଚନା ପରେ ପରିଷଦ ‘କ୍ୟାସଲେସ ଏଭ୍ରିହ୍ବେର’ ପଦକ୍ଷେପ ଆରମ୍ଭ କରିଛି। ଏଥିରେ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇବାକୁ ସହମତି ପ୍ରକାଶ ପାଇଛି।

ସମ୍ପ୍ରତି, ସ୍ବାସ୍ଥ୍ୟ ବୀମା କ୍ରୟ କରୁଥିବା ଗ୍ରାହକମାନେ କେବଳ ସେହି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସାର ସୁବିଧା ପାଇପାରୁଛନ୍ତି, ଯାହା ବୀମା କମ୍ପାନୀର ନେଟୱାର୍କରେ ଅନ୍ତର୍ଭୁକ୍ତ ରହିଥାଏ। ଯଦି କୌଣସି ଡାକ୍ତରଖାନା କମ୍ପାନୀର ନେଟୱାର୍କରେ ଅନ୍ତର୍ଭୁକ୍ତ ନାହିଁ, ତେବେ ସେଠାରେ ଚିକିତ୍ସା ପାଇଁ ପଲିସିଧାରୀଙ୍କୁ ନିଜେ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିଥାଏ ଏବଂ ପରେ ତାଙ୍କୁ ବୀମା କମ୍ପାନୀରୁ କ୍ଷତିପୂରଣ ନେବାକୁ ପଡିଥାଏ। ଏଥିରେ ଅସୁବିଧା ହେଉଛି ଯଦି ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ପାଖରେ ଟଙ୍କା ନ ଥାଏ ତେବେ ସେ ବୀମାର ଲାଭ ପାଇପାରି ନ ଥାନ୍ତି।

ବୀମା କମ୍ପାନୀ ଡାକ୍ତରଖାନାରେ କରାଯାଇଥିବା ଚିକିତ୍ସା ପାଇଁ ଦେୟ ଦେବାକୁ ବାଧ୍ୟ ହେବେ, ସେ ଡାକ୍ତରଖାନା କମ୍ପାନୀୀ ନେଟୱାର୍କରେ ଥାଉ ଅବା ନ ଥାଉ କିଛି ଫରକ ପଡ଼ିବ ନାହିଁ।

୧୫ ରୁ ଅଧିକ ଶଯ୍ୟା ବିଶିଷ୍ଟ ତଥା ରାଜ୍ୟ ସ୍ବାସ୍ଥ୍ୟ ପ୍ରାଧିକରଣରେ ପଞ୍ଜୀକୃତ ହୋଇଥିବା ଏହି ଡାକ୍ତରଖାନାଗୁଡ଼ିକରେ ନଗଦବିହୀନ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ । ବୀମା କମ୍ପାନୀ ନେଟୱାର୍କରେ ଥିବା ଡାକ୍ତରଖାନା ହାର ଆଧାରରେ ଚିକିତ୍ସାର ମୂଲ୍ୟ ସ୍ଥିର କରାଯିବ। ଏହା ସହିତ, ଗ୍ରାହକଙ୍କଠାରୁ ମନ ଇଛା ଟଙ୍କା ଚାର୍ଜ କରି ହେବ ନାହିଁ ।

କ୍ୟାସଲେସ ଚିକିତ୍ସାର ସୁବିଧା ପାଇ ଉଭୟ ବୀମା କମ୍ପାନୀ ଏବଂ ପଲିସିଧାରୀ ଉପକୃତ ହେବେ। ବର୍ତ୍ତମାନ, ଯଦି ଜଣେ ଗ୍ରାହକ ଏକ ନେଟୱାର୍କ ନ ଥିବା ଡାକ୍ତରଖାନାରେ ଚିକିତ୍ସା ନେଇଛନ୍ତି, ତେବେ ତାଙ୍କୁ ଦାବି ଉପସ୍ଥାପନ କରିବାକୁ ଅନେକ ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ ପଡିଥାଏ। ଏହା ସହିତ ବୀମା କମ୍ପାନୀଗୁଡିକର ସମସ୍ତ ପ୍ରକାରର ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ। ଯଦି କ୍ୟାସଲେସ ଚିକିତ୍ସା ହୁଏ ତେବେ ଏହି ସମସ୍ୟା ସମାପ୍ତ ହେବ। ଅପରପକ୍ଷରେ, ବୀମା କମ୍ପାନୀଗୁଡିକ ମଧ୍ୟ ଉପକୃତ ହେବେ କାରଣ ନକଲି ବିଲ ମାଧ୍ୟମରେ ଦାବି କରିବା ଭଳି ଘଟଣାକୁ ରୋକାଯାଇପାରିବ।

Share