୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ: ସରକାର ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୧୨: କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଭାରତରେ ଆତଙ୍କ ଦେଖାଦେଇଛି। ବ୍ରିଟେନ୍‌ରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେଥିମଧ୍ୟରୁ ବେଙ୍ଗାଲୁରୁ ଲ୍ୟାବ୍‌ରେ ପରୀକ୍ଷା କରାଯାଇଥିବା ୩ ଜଣଙ୍କ ନମୁନା ରହିଛି। ସେହିପରି ହାଇଦ୍ରାବାଦ୍‌ର ଲ୍ୟାବ୍‌ରେ ୨ ଜଣ ଏବଂ ପୁଣେ ଲ୍ୟାବ୍‌ରେ ଜଣଙ୍କ ନମୁନାରେ ନୂଆ ଷ୍ଟ୍ରେନ୍‌ ଥିବା ଚିହ୍ନଟ ହୋଇଛି। ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଦେଶର ୧୦ଟି ଲ୍ୟାବ୍‌ରେ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି। ସେଥିମଧ୍ୟରେ କୋଲକାତା, ଭୁବନେଶ୍ୱର, ଏନ୍‌ଆଇଭି ପୁଣେ, ସିସିଏସ୍‌ ପୁଣେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିସିଏଫ୍‌ଡ଼ି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମ୍‌ହାନ୍ସ୍‌ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନ୍‌ସିଡିସି ଦିଲ୍ଲୀ ଆଦିର ଲ୍ୟାବ୍‌ ରହିଛି।

Share