ସବୁଠି ଚର୍ଚ୍ଚା: କୁଆଡେ ଗଲେ ପାଣ୍ଡିଆନ?

ଭୁବନେଶ୍ୱର,୫।୬: ରାଜ୍ୟରେ ବିଜେଡିର ପରାଜୟ ପରେ ଆଉ ଏକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେଇଟି ହେଲା କୁଆଡେ ଗଲେ ପାଣ୍ଡିଆନ। ଜଣେ ଆଇଏଏସ୍‌ ଅଫିସର ହୋଇଥିଲେ ହେଁ ବିଜେଡିରେ ତାଙ୍କର ଦବ୍‌ଦବା ରହିଥିଲା। ନିର୍ବାଚନ ପୂର୍ବରୁ ଅବସର ନେବା ପରେ ସେ ବିଜେଡିର ପ୍ରଚାର ମଙ୍ଗକୁ ଏକାକି ଧରିଥିବା କୁହାଯାଇପାରେ। ସମସ୍ତ ସଭାରେ ସେ ଜୋରଦାର ପ୍ରଚାର କରି ପୁଣିଥରେ କ୍ଷମତାକୁ ଆସିବାର ଦମ୍ଭୋକ୍ତି ପ୍ରକାଶ କରୁଥିଲେ। ଏପରିକି ରାଜ୍ୟରେ ଯଦି ବିଜେଡି ହାରିଯାଏ ତେବେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ।

ମଙ୍ଗଳବାର ନିର୍ବାଚନ ଫଳାଫଳ ଆସିବା ପରେ ଅନେକେ ସେ କୁଆଡେ ବୋଲି ପ୍ରଶ୍ନ କରିଥିଲେ। ଶଙ୍ଖ ଭବନ ଖାଁ ଖାଁ ପଡ଼ିଥିବା ବେଳେ ବିଜେଡି ପକ୍ଷରୁ କରାଯାଇଥିବା ଖବରଦାତା ସମ୍ମିଳନୀରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ। ଦଳର ନେତା ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଆସି ପ୍ରତିକ୍ରିୟା ରଖିଥିଲେ। ଏଣୁ ଏବେ ସେ ପ୍ରକୃତରେ ରାଜନୀତିରୁ ସନ୍ନ୍ୟାସ ନେବେ ନା ଅନ୍ୟ କିଛି ଦାୟିତ୍ୱ ସେ ତୁଲାଇବେ ତାହା ଉପରେ ନଜର ରହିଛି। ହେଲେ ତା’ ପୂର୍ବରୁ ନବୀନଙ୍କ ସହ ତାଙ୍କୁ ଦେଖିବାକୁ ମିଳୁ ନ ଥିବାରୁ ସେ କେଉଁଠି ତାକୁ ନେଇ ଆଲୋଚନା ହେଉଛି।

Share