Categories: ଜାତୀୟ

ଅପରାଧ ରୋକିବ ନୂଆ ପ୍ରଯୁକ୍ତି

ସୂରଯକୁଣ୍ଡ (ହରିୟାଣା),୨୯ା୧୦(ପି.ଟି.): ଅପରାଧ ରୋକିବା ଲାଗି ଏକ ପୋଲିସ ପ୍ରଯୁକ୍ତି ମିଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁରୁତ୍ୱାରୋପ କରିଛନ୍ତି। ଏହି ମିଶନ ରାଜ୍ୟଗୁଡ଼ିକୁ ଶ୍ରେଷ୍ଠ ପ୍ରଯୁକ୍ତିକ୍ଷମ କରିବା ସହ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧିରେ ସହାୟକ ହୋଇପାରିବ। ହରିୟାଣାର ସୂରଯକୁଣ୍ଡଠାରେ ଅନୁଷ୍ଠିତ ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିରରେ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅପରାଧ ଜଗତର ବିଶ୍ୱୀକରଣ ହେଉଛି। ଏହା ଆଉ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ଅପରାଧ ବଢ଼ିଚାଲିଛି। ସେଥିପାଇଁ ରାଜ୍ୟର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସାଇବର ଅପରାଧ ହେଉ କିମ୍ବା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟର ଚୋରା କାରବାର ଲାଗି ଡ୍ରୋନ୍‌ ପ୍ରଯୁକ୍ତିର ବ୍ୟବହାର ହେଉ, ଏସବୁ ଅପରାଧର ମୁକାବିଲା ଲାଗି ନୂଆ ପ୍ରଯୁକ୍ତି ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ସ୍ମାର୍ଟ ଟେକ୍‌ନୋଲୋଜି ସହାୟତାରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୫ଜି ଟେକ୍‌ନୋଲୋଜି ଓ ଏଥିରୁ ମିଳିବାକୁ ଥିବା ସୁବିଧା ଅଧିକ ସତର୍କ କରାଇବ। ୫ଜି ସମେତ ମୁହଁ ଚିହ୍ନଟ ପ୍ରଯୁକ୍ତି, ସ୍ବତଃ ନମ୍ବର ପ୍ଲେଟ୍‌ ଚିହ୍ନଟ ପ୍ରଯୁକ୍ତି, ଡ୍ରୋନ୍‌ ଏବଂ ସିସିଟିଭି ଟେକ୍‌ନୋଲୋଜି ବହୁଗୁଣରେ ଉନ୍ନତ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧୀମାନେ ମଧ୍ୟ ଉନ୍ନତ ଟେକ୍‌ନୋଲୋଜିର ଉପଯୋଗ କରୁଛନ୍ତି। ସେଥିପାଇଁ ଆମକୁ ସେମାନଙ୍କଠାରୁ ୧୦ ପାଦ ଆଗରେ ରହିବାକୁ ହେବ ବୋଲି ମୋଦି କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶର ପୋଲିସ ପାଇଁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ବର୍ଦ୍ଦି’ ନୀତି ଲାଗୁ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହାଦ୍ୱାରା ବିଭିନ୍ନ ସୁରକ୍ଷା ବଳ ମଧ୍ୟରେ ସମାନତା ବଜାୟ ରହିପାରିବା ସହ ସାରା ଦେଶରେ ସେମାନଙ୍କ ପରିଚୟ ସମାନ ହୋଇପାରିବ ବୋଲି ସେ ଭାବୁଛନ୍ତି। ଏହା କେବଳ ଏକ ଚିନ୍ତାଧାରା। ଏହାକୁ ଜବରଦସ୍ତ ଲାଗୁ ନିମନ୍ତେ ଉଦ୍ୟମ କରାଯାଉ ନାହିଁ। ପ୍ରସ୍ତାବ ଉପରେ ରାଜ୍ୟଗୁଡ଼ିକ ବିଚାରବିମର୍ଶ କରିବା ଆବଶ୍ୟକ। ସମାନ ବର୍ଦ୍ଦି ଲାଗୁ କରିବା ପାଇଁ ୫ ବର୍ଷ, ୫୦ ବର୍ଷ କିମ୍ବା ୧୦୦ ବର୍ଷ ଲାଗିପାରେ ବୋଲି ମୋଦି କହିଛନ୍ତି।

Share