ନବମ, ଦଶମ ପାଇଁ ନୂଆ ପରୀକ୍ଷା ପଦ୍ଧତି

ଭୁବନେଶ୍ୱର, ୧୧।୮(ବ୍ୟୁରୋ):କରୋନା ସମୟରେ ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି। ୨୦୨୧-୨୨ ଶିକ୍ଷାବର୍ଷ ଜୁଲାଇରୁ ଏହା ଆରମ୍ଭ ହୋଇ ଏପ୍ରିଲରେ ସରିବ। ଏହି ଶିକ୍ଷାବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏ ଚାଲିବ। ପ୍ରତି ଟର୍ମରେ ୫୦ ପ୍ରତିଶତ ପିଲା ପାଠ ପଢ଼ିବେ ଓ ପରୀକ୍ଷା ଦେବେ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୂପରେଖ ହେବ ସେନେଇ ବୋର୍ଡ ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି କରିବ।
ସ୍କୁଲରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାୟନ (ଇଣ୍ଟରନାଲ ଆସେସମେଣ୍ଟ) କରାଯିବ। ମୋଟ୍‌ ୪ଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବ। ଅର୍ଥାତ୍‌ ପ୍ରତି ଟର୍ମ ଭିତରେ ଦୁଇଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବାର ବ୍ୟବସ୍ଥା ହେଉଛି। ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ। ଦଶମ ଶ୍ରେଣୀ ପାଇଁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରଥମ ଆଭ୍ୟନ୍ତରୀଣ ମୂଲ୍ୟାୟନ, ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ, ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ତୃତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଚତୁର୍ଥ ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ପାଇଁ ଚଳିତବର୍ଷ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ବାତିଲ ହୋଇଥିଲା। ଏହାପରେ ସ୍ବତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା। ତେବେ ଆଗକୁ ଯେପରି ଏଭଳି ଅସୁବିଧା ନ ଉପୁଜେ ସେଥିପାଇଁ ନୂଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ବୋର୍ଡ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି।

Share