କରୋନା ପରେ ଆଫ୍ରିକାରେ ନୂଆ ବିପଦ

ଖାର୍ଟୁମ୍‌, ୧୯।୯: କରୋନା ମହାମାରୀ ସଂକ୍ରମଣ ପରେ ଆଫ୍ରିକାର ବହୁ ଦେଶରେ ଏବେ ନୂଆ ବିପଦ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ପୂର୍ବ ଆଫ୍ରିକାର ନଦୀଗୁଡ଼ିକରେ ବନ୍ୟା ଆସିଛି। ଏହାଯୋଗୁ ଲୋକଙ୍କ ବାସ ଉଜୁଡ଼ି ଯାଇଛି। ବନ୍ୟା ସାଙ୍ଗକୁ ଖାଦ୍ୟର ଅଭାବ ସ୍ଥିତିକୁ ଅଧିକ ସଙ୍କଟ ଜନକ କରିବାରେ ଲାଗିଛି। ନୀଳ ନଦୀ ବନ୍ୟାଯୋଗୁ ଇଥୋପିଆ, ସୁଦାନ, ଦକ୍ଷିଣ ସୁଦାନରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ୬୦ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। କେବଳ ଦକ୍ଷିଣ ସୁଦାନରେ ୫ ଲକ୍ଷରୁ ଅଧିକ ବନ୍ୟା ପ୍ରଭାବିତ ରହିଥିବା ଜାତିସଂଘ କହିଛି। ବନ୍ୟା ଯୋଗୁ ମ୍ୟାଲେରିଆ, ଜଳବାହିତ ରୋଗ ଏବଂ ସାପକାମୁଡ଼ାରେ ଳୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା ବୃଦ୍ଧି ପାଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ବନ୍ୟା ଯୋଗୁ ଘଟିଛି। ଲକ୍ଷେରୁ ଅଧିକ ଘର ଭାଙ୍ଗିରୁଜି ଯାଇଛି ବୋଲି ଜାତିସଂଘ କହିଛି। ବନ୍ୟାରେ ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ସେମାନେ ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ି ରହିଛନ୍ତି। ବନ୍ୟା ଯୋଗୁ ଆଫ୍ରିକାର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Share