‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍‌, ଡିସେମ୍ବରରେ ରିଲିଜ୍ ହେବ ଫିଲ୍ମ

ମୁମ୍ବାଇ: ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ଜଣାଶୁଣା । ଏହା ୨୦୦୯ରେ ରିଲିଜ୍ ହୋଇଥିଲା । ପ୍ରଥମ ଭାଗ ପରେ ସାରା ବିଶ୍ୱର ଦର୍ଶକେ ଏହାର ସିକ୍ୱିଏଲକୁ ଅପେକ୍ଷା କରିଥିଲେ । ଏବେ ଦର୍ଶକଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି । ମେକର୍ସ ଏହାର ଦ୍ୱିତୀୟ ଭାଗ ‘ଅବତାର: ଦ ୱେ ଅଫ ୱାଟର’ର ଏକ ନୂଆ ଟ୍ରେଲର ଜାରି କରିଛନ୍ତି ।
‘ଅବତାର’ ରିଲିଜ୍ ହେବାର ଦୀର୍ଘ ୧୩ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ଅର୍ଥାତ୍ ‘ଅବତାର: ଦ ୱେ ଅଫ ୱାଟର’ ରିଲିଜ୍ ହେବାକୁ ଯାଉଛି । ଦେଖିବାକୁ ମିଳିବ ‘ସୁଲି ପରିବାର’ (ଜ୍ୟାକ, ନେୟତିରି ଓ ତାଙ୍କ ପିଲାମାନେ)ଙ୍କର ଜୀବନରେ ଯେଉଁସବୁ ଅସୁବିଧା ଆସୁଛି ସେମାନେ ଏଥିରୁ ନିଜକୁ କିପରି ସୁରକ୍ଷିତ ରଖୁଛନ୍ତି ଓ ନିଜକୁ ବଞ୍ଚାଇବାକୁ ଏହି ପରିବାର କ’ଣ କ’ଣ କରୁଛନ୍ତି ।
ନଭେମ୍ବର ୨ରେ ୟୁଟ୍ୟୁବରେ ‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍ କରାଯାଇଛି । ଆଉ ଏଥିରେ ଦର୍ଶାଯାଇଥିବା ବିଏଫଏକ୍ସ ଖୁବ୍ ସୁନ୍ଦର ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଟ୍ରେଲରକୁ ଦେଖିବା ପରେ ଅନୁମାନ କରାଯାଉଛି କି ପ୍ରଥମ ଭାଗଠାରୁ ଦ୍ୱୀତିୟ ଭାଗବି ଆହୁରି ଭଲ ହୋଇଥିବ ।
ଜେମ୍ସ କ୍ୟାମରୁନଙ୍କ ଏହି ଫିଲ୍ମ ‘ଅବତାର: ଦ ୱେ ଅଫ ୱାଟର’ର ଦ୍ୱିତୀୟ ଭାଗକୁ ବେଶ କିଛି ବର୍ଷ ହେବ ଦର୍ଶକେ ଅପେକ୍ଷା ରଖିଥିବା ବେଳେ ଏବେ ଏହାର ଟ୍ରେଲର ଦେଖି ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି । ଡିସେମ୍ବର ୧୬ରେ ଏହା ରିଲିଜ୍ ହେବ ବୋଲି ଜଣାପଡିଛି ।
‘ଅବତାର: ଦ ୱେ ଅଫ ୱାଟର’ ଭାରତରେ ଇଂରାଜୀ ଓ ହିନ୍ଦୀ ସହିତ ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ବି ରିଲିଜ୍ ହେବ ।

Share