Categories: ଜାତୀୟ

ହତ୍ୟାରେ ସାପର ବ୍ୟବହାର ଟ୍ରେଣ୍ଡ ପାଲଟିଛି

ନୂଆଦିଲ୍ଲୀ,୭।୧୦: ସାପ ଧରାଳିଙ୍କ ଠାରୁ ବିଷାକ୍ତ ସାପ କିଣି ଲୋକଙ୍କୁ ହତ୍ୟା କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହା ରାଜସ୍ଥାନରେ ସାଧାରଣ କଥା ପାଲଟିଗଲାଣି। ସାପ କାମୁଡ଼ା ଦ୍ୱାରା ଜଣେ ମହିଳାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ସିଜେଆଇ ଏନ୍‌ ଭି ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ଅଭିଯୁକ୍ତ କ୍ରିଷ୍ଣା କୁମାରଙ୍କ ଓକିଲ ଦର୍ଶାଇଥିଲେ ଯେ, ହତ୍ୟାରେ ଅଭିଯୁକ୍ତଙ୍କ ସମ୍ପୃକ୍ତ ଥିବାର କୌଣସି ସିଧାସଳଖ ପ୍ରମାଣ ନାହିଁ। କ୍ରିଷ୍ଣାଙ୍କ ମାଧ୍ୟମରେ ତାଙ୍କର ଜଣେ ସାଙ୍ଗ ସାପ କିଣିଥିଲେ। ସାପର ଆବଶ୍ୟକତା ସମ୍ପର୍କରେ ତାଙ୍କୁ କିଛି ଜଣା ନ ଥିଲା।

୨୦୧୯ରେ ଯୋଜନାବଦ୍ଧ ଭାବେ ସର୍ପ ଦଂଶନ ମାଧ୍ୟମରେ ଜଣେ ମହିଳାଙ୍କୁ ତାଙ୍କ ବୋହୂ ହତ୍ୟା କରିଥିଲେ। ରାଜସ୍ଥାନର ଝୁନଝୁନୁ ଜିଲାରେ ଘଟିଥିବା ଏହି ଘଟଣା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ବୋହୂ ଅଳ୍ପନା ଜୟପୁରର ମନୀଷ ନାମକ ଜଣଙ୍କ ସହ ଅନୈତିକ ସମ୍ପର୍କରେ ଥିଲେ। ଅଳ୍ପନାଙ୍କ ସ୍ବାମୀ ସଚିନ ଓ ଦିଅର ସେନାରେ ଚାକିରି କରୁଥିବାରୁ ବାହାରେ ରୁହନ୍ତି। ଅଳ୍ପନା ଓ ତାଙ୍କ ଶାଶୁ ସୁବୋଧ ଦେବୀ ଏକାଠି ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ମନୀଷଙ୍କ ସହ ଅଳ୍ପନାଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଏ କଥା ଜାଣିବା ପରେ ଶାଶୁ ସୁବୋଧ ସେମାନଙ୍କ ସମ୍ପର୍କରେ ବାଧକ ସାଜିଥିଲେ। ଏଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ।

ଘଟଣା ଦିନ ୨୦୧୯, ଜୁନ ୨ ତାରିଖରେ ସାପ କାମୁଡିବାରୁ ସୁବୋଧଙ୍କ ମୃତ୍ୟୁ ହୋଇଥିଲା। ଦେଢ଼ ମାସ ପରେ ତାଙ୍କ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଥିଲେ ଅଳ୍ପନାଙ୍କ ଦିଅର ତଥା ମୃତକ ଦେବୀଙ୍କ ସାନ ପୁଅ। ସେମାନେ ପୋଲିସକୁ କିଛି ପ୍ରମାଣ ଦେବା ସହ ମନୀଷ ଓ ଅଳ୍ପନାଙ୍କ ଫୋନ ନମ୍ବର ଦେଇଥିଲେ। ରେକର୍ଡ ଯାଞ୍ଚ କରିବା ପରେ ଜଣାପଡ଼ିଲା, ଘଟଣା ଦିନ ଅଳ୍ପନା ଓ ମନୀଷଙ୍କ ମଧ୍ୟରେ ୧୨୪ ଥର ଫୋନରେ କଥାବର୍ତ୍ତା ହୋଇଥିଲା। ଆଉ ଅଳ୍ପନାଙ୍କ ୧୯ ଥର କଥା ହୋଇଥିଲେ କ୍ରିଷ୍ଣାକୁମାର।

Share