କୁସ୍ତି ଯୋଦ୍ଧା ଯୌନଶୋଷଣ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଳୀ, ୯ା୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ। ନାବାଳିକା ଅଭିଯୋଗ କାରିଣୀଙ୍କ ପିତା ନଜର ମତ ବଦଳାଇବା ସହିତ ଚାପରେ ଆସି ଏମିତି ଅଭିଯୋଗ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ବିଗତ ୩ ମାସ ଧରି ରେସ୍‌ଲରଙ୍କ ପକ୍ଷରୁ ନୂଆଦିଲ୍ଲୀର ଯନ୍ତର ମନ୍ତର ଠାରେ ଆନ୍ଦୋଳନ କରାଯାଉଥିବା ବେଳେ ଦେଶ ଓ ବିଦେଶର ଅନେକ ବୁଦ୍ଧିଜୀବୀ ମଧ୍ୟ ଏହାକୁ ବିରୋଧ କରିଥିଲେ। ତେବେ ବର୍ତ୍ତମାନ ସତ ବାହାରକୁ ଆସିବା ଦରକାର ବୋଲି ପୀଡିତାଙ୍କ ପିତା କହିଛନ୍ତି। ଗତ ବର୍ଷ ୧୭ ବର୍ଷରୁ କମ୍‌ ମହିଳା ଏସିଆନ୍‌ ଚାମ୍ପିୟନଶିପ୍‌ ଟ୍ରାଏଲ୍ସରେ ତାଙ୍କ ଝିଅ ପରାଜିତ ହେବା ପରେ ଉତ୍‌କ୍ଷିପ୍ତ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ। ସରକାର ଏହି ମାମଲାରେ ତଦନ୍ତ ପାଇଁ ଘୋଷଣା ମଧ୍ୟ କରିଛନ୍ତି। ରେଫରୀଙ୍କ ଭୁଲ ନିଷ୍ପତ୍ତି କାରଣରୁ ଝିଅର ଏକ ବର୍ଷର ପରିଶ୍ରମ ଖରାପ ହୋଇ ଯାଇଥିଲା। ମନ ମଧ୍ୟରେ ଥିବା ଦ୍ୱେଷ କାରଣରୁ ସେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏପରିକି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ତାଙ୍କୁ ପ୍ରବର୍ତ୍ତାଇ ଯାଇଥିଲା ବୋଲି ମଧ୍ୟ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜଭୂଷଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ୭ ଜଣ ମହିଳା ଆଥଲେଟ ଅଭିଯୋଗ ଆଣିଥିବା ବେଳେ ଏହା ମଧ୍ୟରେ ଜଣେ ନାବାଳିକା ଥିଲେ। ତେବେ ବର୍ତ୍ତମାନ ନାବାଳିକାଙ୍କ ଅଭିଯୋଗ ପ୍ରତ୍ୟାହାର ହେବା ସହିତ ଖେଳାଳି ମାନେ ମଧ୍ୟ କାର୍ଯ୍ୟରେ ଯୋଗ ଦେଲେଣି।

Share