Categories: ଜାତୀୟ

ନାବାଳିକା ଅପହରଣରେ ନୂଆ ମୋଡ, ଅବିବାହିତା ମହିଳାଙ୍କ ମିଥ୍ୟା ଡେଲିଭରୀ ଘଟଣାର ପର୍ଦ୍ଦାଫାଶ…

ଭୋପାଳ,୩୦।୧୦ : ଅକ୍ଟୋବର ୨୧ରେ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ କନ୍ୟା ପୂଜନ ନାମରେ ଦୁଇ ନିରୀହ ନାବାଳିକାଙ୍କୁ ଅପହରଣ ମାମଲା ସାମ୍ନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚ ତୃତୀୟ ଦିନରେ ପ୍ରାୟ ୬୦ଘଣ୍ଟା ପରେ କୋଲାରର ଇଂରାଜୀ ଭିଲ୍ଲା କଲୋନୀରୁ ଉଭୟ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏଥିସହ ପାଞ୍ଚ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୪ଜଣ ମହିଳା ସାମିଲ ଥିଲେ। ପିଲାମାନଙ୍କୁ ଅପହରଣ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ବର୍ତ୍ତମାନ ଏଥିରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରକାଶ ପାଇଛି। ସୂଚନାନୁସାରେ, ଜଣେ ଅଭିଯୁକ୍ତା ମହିଳାଙ୍କୁ ପଚରାଉଚରା ବେଳେ ଜଣା ପଡିଛି ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୦ ରୁ ଅଧିକ ପିଲାଙ୍କୁ ଅପହରଣ କରି ବିକ୍ରି କରିଛନ୍ତି। ଏଥି ସହିତ, ସେ ଅବିବାହିତା ମହିଳାଙ୍କୁ ମିଥ୍ୟା ଡେଲିଭରୀ କରୁଥିଲେ ଏବଂ ନବଜାତ ଶିଶୁମାନଙ୍କୁ ବିପୁଳ ଅର୍ଥରେ ବିକ୍ରି କରୁଥିଲେ ।

କ୍ରାଇମ ବ୍ରାଞ୍ଚ ଦଳ ଏପର୍ଯ୍ୟନ୍ତ ଏହି ମାମଲାରେ ୭ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ମହିଳାଙ୍କ ବ୍ୟତୀତ ଦିଲ୍ଲୀର ଡାକ୍ତରଖାନା ଅପରେଟର ଡାକ୍ତର ଯାଦବଙ୍କୁ ମଧ୍ୟ ଭୋପାଳ ପୋଲିସ ଗିରଫ କରିଛି। ଏହି ଡାକ୍ତରଖାନାରେ ସମ୍ପୃକ୍ତ ମହିଳା କାମ କରୁଥିଲେ। କ୍ରାଇମବ୍ରାଞ୍ଚ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଭୋପାଳରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ପଚରାଉଚରା କରିବ। ଏହି ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ସେମାନେ କେତେ ପିଲାଙ୍କୁ ଅପହରଣ କରିଛନ୍ତି ସେ ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ କରାଯିବ।

Share