Categories: ଜାତୀୟ

କୋଲକାତାର ବଳାତ୍କାର-ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ: ମୃତା ଡାକ୍ତରଙ୍କ ଡାଇରି ଭିତରେ…

କୋଲକାତା,୧୯ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ୟମ କରୁଥିବା ମୃତା ଡାକ୍ତରଙ୍କ ବାପା ଅଭିଯୋଗ କରିଛନ୍ତି। ନ୍ୟାୟ ଦାବି କରୁଥିବା ସାଧାରଣ ଲୋକଙ୍କୁ ଜେଲ ପଠାଇବାକୁ ଉଦ୍ୟମ ହେଉଛି। ଝିଅର ମୃତ୍ୟୁ ପାଇଁ ସେ ସର୍ମ୍ପୂ୍‌ଣ୍ଣ ଚେଷ୍ଟ ମେଡିସିନ୍‌ ବିଭାଗକୁ ଦାୟୀ କରିଛନ୍ତି। ଅପରାଧରେ ଉକ୍ତ ବିଭାଗର କେତେଜଣ ସମ୍ପୃକ୍ତ ଥିବା ମହିଳା ଡାକ୍ତରଙ୍କ ବାପା କହିଛନ୍ତି। ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏଭଳି ଅପରାଧ ସମ୍ଭବ ନୁହେଁ। ଝିଅ ଡାଇରିର ଗୋଟିଏ ପୃଷ୍ଠା ଚିରାଯାଇଥିବାରୁ ଏହାକୁ ନେଇ ତାଙ୍କ ବାପା ସନ୍ଦେହ ପ୍ରକଟ କରିଛନ୍ତି। ସେ ସବୁବେଳେ ନିଜ ବ୍ୟାଗ୍‌ରେ ଡାଇରି ରଖୁଥିଲେ। ଉକ୍ତ ପୃଷ୍ଠାରୁ ସେଦିନର ସ୍ଥିତି ସମ୍ପର୍କରେ ଅଧିକ କିଛି ସୂଚନା ମିଳିପାରିଥାନ୍ତା ବୋଲି କୁହାଯାଉଛି। ତେବେ ସବୁକିଛି ସର୍ବସାଧାରଣରେ ପ୍ରକାଶ ନ କରିବାକୁ ସିବିଆଇ ମୃତା ଡାକ୍ତରଙ୍କ ପରିବାରକୁ ପରାମର୍ଶ ଦେଇଛି।

ଏହା ଏକ ସାଧାରଣ ଅପରାଧ ନୁହେଁ। ମୃତା ଡାକ୍ତରଙ୍କୁ ଟାର୍ଗେଟ କରାଯାଇଥାଇପାରେ ବୋଲି ତାଙ୍କର କେତେଜଣ ସହପାଠୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କ୍ରମାଗତ ୩୬ ଘଣ୍ଟା ସିଫ୍ଟ ଡ୍ୟୁଟି ସହ ଟ୍ରେନି ଡାକ୍ତର ଜଣକ ଅତ୍ୟଧିକ କାମ ଚାପରେ ଥିଲେ ବୋଲି ତାଙ୍କ ଡାଇରିରୁ ଜଣାପଡ଼ିଛି। ଗତ ୯ ତାରିଖ ରାତିରେ ସେମିନାର ହଲ୍‌ରେ ଟ୍ରେନି ମହିଳା ଡାକ୍ତର ଜଣକ ଏକାକୀ ଥିବା ସମ୍ପର୍କରେ ଅଭିଯୁକ୍ତ ସଞ୍ଜୟ ରାୟ କିପରି ଜାଣିଲେ ବୋଲି ଜଣେ ସହପାଠୀ ପ୍ରଶ୍ନ କରିଛନ୍ତି। ତେଣୁ ଏହା ପଛରେ କୌଣସି ବଡ଼ ହାତର ସମ୍ପୃକ୍ତି ଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି।

Share