ପିପିଲି ରାଜନୀତିରେ ନୂଆ ମୋଡ, ଜଣାପଡିଲା କାହିଁକି ରୁଦ୍ରଙ୍କ ସ୍ତ୍ରୀ କରିଛନ୍ତି ନାମାଙ୍କନ

ପୁରୀ,୮।୫: ନିର୍ବାଚନୀ ମଇଦାନରେ ସ୍ବାମୀ-ସ୍ତ୍ରୀ ଲଢେଇ। ଏପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିିଥିବାବେଳେ ଏପରି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ମଇଦାନକୁ ଓହ୍ଲାଇଛନ୍ତି। ଆଉ ତା’ ବି ସ୍ବାମୀଙ୍କ ବିରୋଧରେ। ଅର୍ଥାତ୍‌ ଜାଗୃତି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ରୁଦ୍ର ନିଜେ ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବାବେଳେ ଜାଗୃତି ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଜାଗୃତି କାହିଁକି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବାମୀଙ୍କ ବିରୋଧରେ ଲଢିବାକୁ ଚାହୁଁଛନ୍ତି, ସେ ନେଇ ମୁହଁ ଖୋଲିନାହାନ୍ତି। କହିରଖୁଛୁ କି, ରୁଦ୍ର ଗତ ୩ତାରିଖରେ ନାମାଙ୍କନ ଭରିଥିବାବେଳେ ଜାଗୃତି ମେ ୬ରେ ନାମାଙ୍କନ ଦାଖଲ କରିଛନ୍ତି।

ଜାଗୃତି ସୋମବାର ନାମାଙ୍କନ ପତ୍ର ଦାଖଲ କରିଥିଲେ। ମଙ୍ଗଳବାର ଏ କଥା ଜଣାପଡିବା ପରେ ଏହାକୁ ନେଇ ରାଜ୍ୟ ରାcଜନୀତିରେ ଜୋର ଚର୍ଚ୍ଚା ଚାଲିଛି। ତେବେ ଏହାର କାରଣ ଜଣାପଡି ନ ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ରୁଦ୍ର। ସେ କହିଛନ୍ତି, ଜାଗୃତି ୯ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ରୁଦ୍ର ଆହୁରି କହିଛନ୍ତି, ଯଦି କୌଣସି କାରଣରୁ ପ୍ରାର୍ଥୀପତ୍ର ନାକଚ ହୋଇଯାଏ ତାହାକୁ ନଜରରେ ରଖି ସ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ। ପୂର୍ବରୁ ବାପା ପ୍ରଦୀପ ମହାରଥୀଙ୍କ ସମୟରେ ମଧ୍ୟ ଏପରି ହେଉଥିଲା। ଅନ୍ୟଜଣେ ଏପରି ପ୍ରାର୍ଥୀପତ୍ର ଦାଖଲ କରୁଥିଲେ ଏବଂ ପରେ ପ୍ରତ୍ୟାହାର କରି ନେଉଥିଲେ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଜାଗୃତି ରାଜନୀତିରେ ଆଗ୍ରହ ରଖୁଥିଲେ । ଉପନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ, ପ୍ରଚାର ବେଳେ ସ୍ବାମୀଙ୍କ ସହ ବୁଲୁଥିଲେ। ତେବେ ଏଥର ନିର୍ବାଚନରେ ସେ ଲଢିବାକୁ ଚାହୁଁଥିବାବେଳେ ତାଙ୍କୁ କୌଣସି ଦଳରୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ନାମାଙ୍କନ ଭରିଛନ୍ତି। ଏନେଇ ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସି ନାହିଁ। କିନ୍ତୁ ରୁଦ୍ରଙ୍କ ଅନୁସାରେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବାର ଆଶଙ୍କା ରହିଥିବାରୁ ତାଙ୍କ ସ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ସେ ସ୍ପଷ୍ଟ କରିଛନ୍ତି।

Share