ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା। ତାଙ୍କ ନାଁରେ ଗୋଳନ୍ଥରା ଥାନାରେ ୪ଟି ମାମଲା ଓ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା । ଏହି ମାମଲାଗୁଡ଼ିକର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସହ ଜେଲ ଯିବାକୁ ପଡିଥିଲା ।

ଏହି ମାମଲାର ବିଚାର ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଜେଏମ୍‌ଏଫ୍‌ସି କୋର୍ଟରେ ଚାଲୁଛି । ଏବେ ଏହି ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ତାଙ୍କ ବିରୋଧରେ ହୋଇଥିବା ୫ ମାମଲା ମଧ୍ୟରୁ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିବା ସମସ୍ତ ୪ ଅଭିଯୋଗକାରୀ ନିଜ ମାମଲାରୁ ଓହରିଯିବାକୁ କୋର୍ଟରେ ଶନିବାର ସତ୍ୟପାଠ ଦାଖଲ କରିଛନ୍ତି । ଏହି ଅଭିଯୋଗକାରୀମାନେ ବ୍ୟକ୍ତିଗତ କାରଣରୁ ଯଥା ପୂର୍ବ ଭୁଲ ବୁଝାମଣା, ଭୁଲ ରାଜନୈତିକ ବୁଝାମଣା ଓ ସ୍ବାସ୍ଥ୍ୟ ସମସ୍ୟାରୁ ମାମଲା ଲଢିବାକୁ ଚାହୁଁନଥିବା ନିଜ ଓକିଲ ଶିଶିର କୁମାର ପାଢୀ ଓ ପୀତବାସ ପଣ୍ଡାଙ୍କ ଜରିଆରେ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।

ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡାର ପ୍ରଶାନ୍ତ କରଙ୍କ ଭାଇ ପାଇଁ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ପ୍ରଦୀପ ପାଣିଗ୍ରାହୀ ୩ ଲକ୍ଷ ଟଙ୍କା ନେଇଥିବା ପ୍ରଶାନ୍ତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ସେହିପରି କେଲୁଆପଲ୍ଲୀର ପ୍ରଭାତ କୁମାର ନାୟକଙ୍କ ଭାଇଙ୍କୁ ଚାକିରି ଦେବାକୁ କହି ପ୍ରଦୀପ ୫ ଲକ୍ଷ ନେଇଥିବା ଅଭିଯୋଗ ହୋଇଥିଲା। ଗୁଣୁପୁର ବଡସାହିର ଲକ୍ଷ୍ମୀନାରାୟଣ ନାୟକ ଓ ମାଝିଗାଁର ବି. ଶିବ ପାତ୍ରଙ୍କଠାରୁ ମଧ୍ୟ ପ୍ରଦୀପ ଚାକିରି କରାଇଦେବାକୁ କହି ଯଥାକ୍ରମରେ ୬ ଲକ୍ଷ ଓ ୪ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର ବେଳେ ପ୍ରଦୀପ ବିଭିନ୍ନ ସମୟରେ କୋର୍ଟରେ ହାଜର ହେବା ସହ ତାଙ୍କ ନାମରେ ଚାର୍ଜଫ୍ରେମ ହୋଇଥିଲା ।

Share