ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ପଦବୀରେ କେହି ଜଣେ ନିଯୁକ୍ତ ହୋଇଛନ୍ତି।

ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ ଜୁଲି ଟର୍ନର ବର୍ତ୍ତମାନ ଆମେରିକାର ବୈଦେଶିକ ବିଭାଗର ଗଣତନ୍ତ୍ର, ମାନବ ଅଧିକାର ଏବଂ ଶ୍ରମ ବ୍ୟୁରୋରେ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ। ସେ ବର୍ତ୍ତମାନ ଉତ୍ତର କୋରିଆରେ ମାନବ ଅଧିକାର ସ୍ବତନ୍ତ୍ର ଦୂତ ଭାବରେ ନିଯୁକ୍ତ ହୋଇଛନ୍ତି।

ଟର୍ନର କୋରିଆନ ଭାଷା ଭଲ ଭାବେ କହି ପାରନ୍ତି, ଏବଂ ପୂର୍ବ ଏସିଆ ତଥା ପ୍ରଶାନ୍ତ ସାଗରୀୟ କାର୍ଯ୍ୟାଳୟରେ ୧୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି। ତାଙ୍କର କାର୍ଯ୍ୟ ମୁଖ୍ୟତ ଉତ୍ତର କୋରିଆରେ ମାନବିକ ଅଧିକାରର ପ୍ରୋତ୍ସାହନ ସହ ଜଡିତ ପ୍ରସଙ୍ଗ ଉପରେ ରହିବ।

୨୦୨୨ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାର ତୃତୀୟ କମିଟି ଏକ ସଂକଳ୍ପ ପାରିତ କରି ଉତ୍ତର କୋରିଆକୁ ମାନବିକ ଅଧିକାରର ଉଲ୍ଲଂଘନକୁ ନିନ୍ଦା କରିଥିଲା। ଉତ୍ତର କୋରିଆରେ ମାନବ ଅଧିକାର ପରିସ୍ଥିତି ଉପରେ ଏକ ଡ୍ରାଫ୍ଟ ରିଜୋଲ୍ୟୁଶନ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ୟୁରୋପୀୟ ୟୁନିଅନ ଦେଶଗୁଡିକର ଏହି ପ୍ରସ୍ତାବରେ ଉତ୍ତର କୋରିଆରେ ବିଦେଶୀ ନାଗରିକଙ୍କୁ ବେଆଇନ ବନ୍ଦୋବସ୍ତ, ନିର୍ଯାତନା ଏବଂ ଫାଶୀକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ତେବେ ମିଳିତ ଜାତିସଂଘରେ ଉତ୍ତର କୋରିଆର ରାଷ୍ଟ୍ରଦୂତ କିମ ସୋଙ୍ଗ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହାକୁ ନିଜ ଦେଶର ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ।

Share