ଜେନେଭା,୧୩।୧୨: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ୍ର ନୂଆ ଭାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ସୁଦ୍ଧା ୬୧ ଦେଶକୁ ବ୍ୟାପିଲାଣି। ଏହି ଭାରିଆଣ୍ଟ ବିଶ୍ୱକୁ ବଡ଼ ବିପଦ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛି। କୋଭିଡ୍ ଟିକା ଏହାର ସଂକ୍ରମଣକୁ ରୋକିପାରୁ ନ ଥିତ୍ବାର କେତେକ ପ୍ରମାଣ ମିଳିଲାଣି। ତେବେ ଗୁରୁତର ସଂକ୍ରମଣ ସମ୍ପର୍କରେ ସୀମିତ ତଥ୍ୟ ମିଳିଥିବା ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ତେଣୁ ନୂଆ ଭାରିଆଣ୍ଟକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବିଭିନ୍ନ କାରଣରୁ ଓମିକ୍ରନ୍କୁ ଚିନ୍ତାଜନକ ଦର୍ଶାଯାଇଛି। ଏହାର ମୁଖ୍ୟ କାରଣ ହେଲା ଏହା ଶରୀରର ରୋଗ ପ୍ରତିରୋଧୀ କ୍ଷମତା ସଂକ୍ରମଣ ରୋକିବାରେ ବିଫଳ ହୋଇଛି ଏବଂ ନୂଆ ଭାରିଆଣ୍ଟର ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିଛି। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କୋଭିଡ୍ ଆକ୍ରାନ୍ତ ଅନେକ ଲୋକ ଏବେ ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ପ୍ରାଥମିକ ଅନୁଧ୍ୟାନରୁ ଓମିକ୍ରନ ଡେଲ୍ଟା ଭାରିଆଣ୍ଟଠାରୁ କମ୍ ଗୁରୁତର ବୋଲି କୁହାଯାଇଥିଲା। ୟୁରୋପୀୟ ଦେଶଗୁଡ଼ିକରେ ଦେଖାଦେଇଥିବା ସଂକ୍ରମଣ ଲକ୍ଷଣ ବିହୀନ କିମ୍ବା ସାମାନ୍ୟ ଲକ୍ଷଣଯୁକ୍ତ। ତେଣୁ ଭାରିଆଣ୍ଟ କେତେ ଗୁରୁତର ତାହା ସ୍ପଷ୍ଟ ହୋଇପାରି ନ ଥିବା ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି।