ଚାଇନାରେ ନୂଆ ଭୂତାଣୁ

ବେଜିଂ, ୧୦ା୮: ଚାଇନାରେ ଶାନ୍‌ଡୋଙ୍ଗ୍‌ ଏବଂ ହେନାନ ପ୍ରଦେଶରେ ନୂଆ ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି। ଏହାର ନାଁ ଲାଙ୍ଗ୍ୟା ହେନିପାଭାଇରସ୍‌ (ଲେଭି)। ଏଥିରେ ଅଦ୍ୟାବଧି ୩୫ ଜଣ ସଂକ୍ରମିତ ହୋଇଛନ୍ତି। ଏ ନେଇ ତାଇଓ୍ବାନ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ (ଟିସିଡିସି) ପକ୍ଷରୁ ସୂଚନା ଦିଆଯାଇଛି। ଲାଙ୍ଗ୍ୟା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ତାଇଓ୍ବାନ ଏହି ଭାଇରସ୍‌କୁ ଚିହ୍ନଟ ପାଇଁ ନ୍ୟୁକ୍ଲିକ ଏସିଡ୍‌ ଟେଷ୍ଟିଂ ଆରମ୍ଭ କରିଛି। ଲାଙ୍ଗ୍ୟା ଭାଇରସ୍‌ ଯୋଗୁ ଯକୃତ ଏବଂ କିଡ୍‌ନୀ ଅଧିକ ଭାବେ ପ୍ରଭାବିତ ହେବା ଏପରିକି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାର ଆଶଙ୍କା ରହିଛି। ଏହା ପ୍ରାଣୀଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇପାରିବ। ସେରୋଲଜିକାଲ ସର୍ଭେ ଅନୁସାରେ ଏ ଯାଏ ୨% ଛେଳି, ୫% କୁକୁର ଓ ଅନ୍ୟ ପ୍ରାଣୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ମଣିଷରୁ ମଣିଷକୁ ସଂକ୍ରମିତ ହେବା ମାମଲା ଚିହ୍ନଟ ହୋଇନାହିଁ। ଆକ୍ରାନ୍ତଙ୍କଠାରେ ଜ୍ୱର, ହାଲିଆ ଲାଗିବା, କଫ, ଭୋକ ମରିଯିବା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଉଛି। ଏଥିସହ ସେମାନଙ୍କ ଶ୍ୱେତ ରକ୍ତ କଣିକା ଓ ପ୍ଲେଟଲେଟ୍‌ ହ୍ରାସ ପାଇବା ସହ ବୃକକ୍‌ ଏବଂ ଯକୃତ କାମ ନ କରିବା ଆଦି ସମସ୍ୟା ଉପୁଜୁଛି।

Share