ପୁରୁଣା ଢଳେଇ ଉପରେ ଚାଲିଛି ନୂତନ କାର୍ଯ୍ୟ

ନାଉଗାଁ,୧୯ା୧(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ଉନ୍ନତିକରଣ ଓ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ସେଥିମଧ୍ୟରୁ କୋକିଡିହ ତେଲସରା ରାସ୍ତା ଅନ୍ୟତମ। ୧୨ କିମି ଲମ୍ବ ଏହି ରାସ୍ତାର ଉନ୍ନତୀକରଣ ଓ ସମ୍ପ୍ରସାରଣ ପାଇଁ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ପୂର୍ତ୍ତ ବିଭାଗର କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ସମ୍ପ୍ରସାରଣ ସମୟରେ ଯେଉଁଠାରେ ପୁରୁଣା ଢଳେଇ ରହିଥିବ ସେଠାରେ ତାକୁ ବାହାର କରାଯାଇ ନୂତନ ଢଳେଇ କାର୍ଯ୍ୟ କରାଯିବ। ବାସ୍ତବରେ ରାସ୍ତାର ଉନ୍ନତୀକରଣ କାର୍ଯ୍ୟରେ ତାହା କରାଯାଉ ନାହିଁ।

ଦୀର୍ଘ ୫ ବର୍ଷ ତଳେ କୋକିଡିହ-ତେଲସରା ରାସ୍ତାର ଉଭୟ ପାର୍ଶ୍ୱରେ ୧ ମିଟର ଲେଖାଏ ସମ୍ପ୍ରସାରଣ କରାଯାଇଥିଲା। ସେତେବେଳେ ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏହାପରେ ପୁନର୍ବାର କାର୍ଯ୍ୟ ହୋଇଥିଲା। ଏବେ ଉକ୍ତ ରାସ୍ତାର ଧୂଅଁାପଦାଠାରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ମାତ୍ର ସେଠାରେ ପୁରୁଣା ରାସ୍ତାକୁ ଭଙ୍ଗା ନ ଯାଇ ତା ଉପରେ ନୂତନ ଢଳେଇ କରାଯାଉଛି। ଫଳରେ ଉକ୍ତ ରାସ୍ତା ଦବିବା ସହ ଉଭୟ ପାର୍ଶ୍ୱରେ ଫାଟିବା ନେଇ ଆଶଙ୍କା ରହିଛି। ଉକ୍ତ ରାସ୍ତାରେ ଭାରିଯାନ ଯାତାୟାତ କଲେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଷେକ ସେଠୀ କହିଛନ୍ତି, କୋକିଡିହ-ତେଲସରା ରାସ୍ତାରେ ଥିବା ପୂର୍ବ ଢଳେଇ ତଡ଼ାଯାଇ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share