ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨.୩୦ ରୁ ରାତି ୧.୩୦ଯାଏଁ ମୁସଲମାନମାନେ ବିନା ଅନୁମତିରେ ମସଜିଦରେ ଆଜାନ ବ୍ରୋଡକାଷ୍ଟ ମଧ୍ୟ କରିପାରିବେ। ତେବେ ପୂର୍ବରୁ ଏଠାରେ ଅଜାନ ପଢିବାକୁ ଅନୁମତି ନେବାକୁ ପଡୁଥିଲା।

ନ୍ୟୁୟର୍କ ସିଟି ମେୟର ଏରିକ ଆଡାମସ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଘରେ କିମ୍ବା ମସଜିଦରେ ନମାଜ ପଢିବା ସହ ଶୁକ୍ରବାର ମଧ୍ୟ ଅଜାନ ପଡିବାରିବେ। ଏଥିପାଇଁ ଆଉ ଅନୁମତି ନେବାକୁ ପଡ଼ିବ ନାହିଁ।

ନଆ ଗାଇଡଲାଇନରେ, ରମଜାନ ମାସରେ ମଧ୍ୟ ଆଜାନ ପଢିବାକୁ ଓ ପ୍ରସାରଣ ପାଇଁ ଅନୁମତି ଦିଆଯାଇଛି। ଏହି ଘୋଷଣାରେ ନ୍ୟୁୟର୍କରେ ରହୁଥିବା ମୁସଲମାନମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି।

ନ୍ୟୁୟର୍କ ସିଟିରେ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଶୁକ୍ରବାର ଦିନ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସ୍ବତନ୍ତ୍ର ପ୍ରାର୍ଥନା କରନ୍ତି, ଯାହା ଘରେ କିମ୍ବା ମସଜିଦରେ ସର୍ବସାଧାରଣରେ ପ୍ରସାରିତ ହୋଇଥାଏ। ବର୍ତ୍ତମାନ ଏହା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ନ୍ୟୁୟର୍କ ପୋଲିସ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ, ବର୍ତ୍ତମାନ ସହରରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି ଏବଂ ଧ୍ୱନି ସମ୍ବନ୍ଧରେ କୌଣସି ପ୍ରତିବନ୍ଧକ ନାହିଁ।
ସୂଚନାଯୋଗ୍ୟ, ନ୍ୟୁୟର୍କ ସିଟିରେ ଆନୁମାନିକ ୮ଲକ୍ଷ ମୁସଲମାନ ବାସ କରନ୍ତି। ସହରର ମୋଟ ଜନସଂଖ୍ୟାର ପ୍ରାୟ ୯ ପ୍ରତିଶତ ମୁସଲମାନ ଅଛନ୍ତି।

Share