Categories: ଜାତୀୟ

ଭାଜପାର‘ପେଡ୍‌ ନ୍ୟୁଜ୍‌’ ଉପରେ ପ୍ରତିକ୍ରିୟା ରଖିଲା ନ୍ୟୁୟର୍କ ଟାଇମ୍ସ

ନୂଆଦିଲ୍ଲୀ,୧୯ା୮: ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଅଗଷ୍ଟ ୧୮ ଗୁରୁବାର ସଂସ୍କରଣରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନେଇ ଏକ ଆର୍ଟିକଲ ପ୍ରକାଶ ପାଇଛି। ପ୍ରଥମ ପୃଷ୍ଠାରେ ପ୍ରକାଶିତ ଉକ୍ତ ଷ୍ଟୋରିରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ରୂପେ ତାଙ୍କ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବତାରଣା କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଏନେଇ ସିସୋଡିଆଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଦିଲ୍ଲୀ ଶିକ୍ଷା ମଡେଲ ସମ୍ପର୍କିତ ଉକ୍ତ ନିବନ୍ଧକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅନ୍ୟପକ୍ଷେ ଭାଜପା ଏହାକୁ ଏକ ‘ପେଡ୍‌ ନ୍ୟୁଜ୍‌’ ଭାବେ ଅଭିହିତ କରି କେନ୍ଦ୍ରଶାସିତ ଅଞ୍ଚଳର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାରଙ୍କୁ ସମାଲୋଚନା କରିଛି। ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନ୍ୟୁୟର୍କ ଟାଇମ୍ସର ଷ୍ଟୋରି ସହ ଖଲିଜ୍‌ ଟାଇମ୍ସରେ ପ୍ରକାଶିତ ସମାନ ରିପୋର୍ଟର ପେପର କଟିଂକୁ ଏକସଙ୍ଗେ ଟୁଇଟ୍‌ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଗୋଟିଏ ରିପୋର୍ଟ ଏକକାଳୀନ ଦୁଇଟି ବିଦେଶୀ ଗଣମାଧ୍ୟମରେ କିପରି ପ୍ରକାଶ ପାଇଲା ବୋଲି ମନୋଜ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଭାଜପାର ଏହି ପ୍ରଶ୍ନର ପ୍ରତିକ୍ରିୟା ରଖିଛି ନ୍ୟୁୟର୍କ ଟାଇମ୍ସ। ଖବରକାଗଜ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି ଯେ, ଏହି ଆର୍ଟିକଲ ବିଜ୍ଞାପନ କିମ୍ବା ପେଡ୍‌ ନ୍ୟୁଜ୍‌ ନୁହେଁ, ବରଂ ଗ୍ରାଉଣ୍ଡ ରିପୋର୍ଟ ଉପରେ ଆଧାରିତ। ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଥିବା ଉପରେ ଆମର ଏହି ରିପୋର୍ଟ ନିରପେକ୍ଷ ତଥା ଗ୍ରାଉଣ୍ଡ ରିପୋର୍ଟିଂ ଉପରେ ଆଧାରିତ ବୋଲି ନ୍ୟୁୟର୍କ ଟାଇମ୍ସ କହିଛି।

 

Share