Categories: ଖେଳ

୧୩୨ରେ ନ୍ୟୁଜିଲାଣ୍ଡ ଅଲଆଉଟ୍‌

ଲଣ୍ଡନ,୨।୬: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦଳ ମାତ୍ର ୪୫ ରନ୍‌ ମଧ୍ୟରେ ପ୍ରମୁଖ ୭ ବ୍ୟାଟରଙ୍କୁ ହରାଇ ସାରିଥିଲା। କଲିନ ଡେ’ ଗ୍ରାଣ୍ଡହୋମଙ୍କ ଅପରାଜିତ ୪୨(୪ ଚୌକା) ଏବଂ ଟିମ୍‌ ସୌଦି (୨୬)ଙ୍କ ଯୋଗୁ ଦଳୀୟ ସ୍କୋର ୧୩୨ ରନ୍‌ରେ ପହଞ୍ଚି ପାରିଥିଲା। ଦଳ ୬ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଏହି ମ୍ୟାଚ୍‌ରେ ଟେଷ୍ଟ ପଦାର୍ପଣ କରୁଥିବା ମ୍ୟାଟି ପଟ୍ସ ୯.୨ ଓଭରରେ ୧୩ ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ୪ ଉଇକେଟ ନେଇଥିବା ବେଳେ ଷ୍ଟ୍ରୁଆର୍ଟ ବ୍ରଡ ଓ ଅଧିନାୟକ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଏହି ଇନିଂସର ୨୩ତମ ଓଭର ଶେଷ ହେବା ପରେ ୨୩ ସେକେଣ୍ଡ ପାଇଁ ଉଭୟ ଦଳର ଖେଳାଳିମାନେ କରତାଳି ମାରି ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଅନ୍ୟପକ୍ଷେ ଇଂଲଣ୍ଡ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୩୬ ଓଭରରେ ୧୧୫ ରନ୍‌ କରି ୭ ଉଇକେଟ ହରାଇଛି। ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ପାଇଁ ୩ ଉଇକେଟରେ ୧୬ ରନ୍‌ ଦରକାର।

Share