Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୫ରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ଓପନିଂ ମ୍ୟାଚ୍‌ରେ ଅଧିନାୟକ କେନ୍‌ ଓ୍ବିଲିୟମସନ ଖେଳିପାରିବେ ନାହିଁ। ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରିକେଟ ବୋର୍ଡ କହିଛି ଯେ, ଆଣ୍ଠୁରେ ଆଘାତ ସମସ୍ୟାକୁ ଦେଖି ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଓପନିଂ ମ୍ୟାଚ୍‌ ଖେଳିପାରିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଟମ୍‌ ଲାଥମ୍‌ ଅଧିନାୟକ ଦାୟିତ୍ୱ ତୁଲାଇବେ। ତେବେ ସେ ଶୁକ୍ରବାର ପାକିସ୍ତାନ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ କେବଳ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିବେ। ଏହାପରେ ଦ୍ୱିତୀୟ ଓ୍ବ୍‌ାର୍ମ-ଅପ୍‌ ମ୍ୟାଚ୍‌ ଲାଗି ମଧ୍ୟ ସେ ଦଳ ଲାଗି ଉପଲବ୍ଧ ରହିବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପ୍ରକାଶ ଯେ, ଆଇପିଏଲ୍‌ ସମୟରେ ଓ୍ବିଲିୟମସନଙ୍କୁ ଆଘାତ ଲାଗିଥିଲା। ଏହାକୁ ନେଇ ତାଙ୍କୁ ଅପରେଶନ କରାଇବାକୁ ପଡ଼ିଥିଲା।

Share