Categories: ଖେଳ

ସେମିଫାଇନାଲ୍‌ ହାରିବା ଦୁଃଖ ଭୁଲିପାରୁନାହାନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଏହି କଥା ପାଇଁ ମୋଦିଙ୍କୁ ଦେଲେ ଧନ୍ୟବାଦ୍‌

ନୂଆଦିଲ୍ଲୀ,୧୭।୩:ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ରବିବାର ଦିନ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅର୍ଥନୈତିକ ସହଭାଗୀତା ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ଲକ୍ସନ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷ ପରାଜୟର କଥା ଉଲ୍ଲେଖ କରିଥିଲେ। କଥାବାର୍ତ୍ତା ସମୟରେ ନ୍ୟୁଜିଲାଣ୍ଡର ପରାଜୟ ବିଷୟରେ ଉଲ୍ଲେଖ ନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ।

ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ଲକ୍ସନ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଚାମ୍ପିଅନ୍ସ ଟ୍ରଫି ପରାଜୟର ପ୍ରସଙ୍ଗ ଉଠାଇ ନାହାଁନ୍ତି ଏବଂ ମୁଁ ମଧ୍ୟ ଭାରତରେ ଆମର ଟେଷ୍ଟ ବିଜୟର ପ୍ରସଙ୍ଗ ଉଠାଇ ନାହିଁ। ଏଥିପାଇଁ ମୁଁ ପ୍ରକୃତରେ ମୋଦିଙ୍କୁ ଧନ୍ୟବାଦ୍‌ ଦେଉଛି। ତେଣୁ ସେହି ପ୍ରସଙ୍ଗକୁ ଛାଡିଦେବା। ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତେ ହସିଥିଲେ।

ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଚାରି ଉଇକେଟରେ ପରାସ୍ତ କରି ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି। ନ୍ୟୁଜିଲାଣ୍ଡ ଭାରତକୁ ଜିତିବା ପାଇଁ ୨୫୨ ରନର ଟାର୍ଗେଟ ଦେଇଥିଲା, ଯାହାକୁ ଭାରତ ଗୋଟିଏ ଓଭର ବାକି ଥାଇ ହାସଲ କରି ନେଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ, ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ, ଭାରତ ୪୯ ଓଭରରେ ଛଅ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ରୋହିତ ଏକ ଅଧିନାୟକ ଇନିଂସ ଖେଳିଥିଲେ। ସେ ୭୬ ରନ କରି ଭାରତକୁ ସଙ୍କଟରୁ ବାହାର କରିଥିଲେ।

ପୂର୍ବରୁ, ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସିଥିଲା ଯେଉଁଠାରେ ଦଳ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଆୟୋଜକ ଦଳକୁ ୩-୦ରେ ପରାସ୍ତ କରିଥିଲା।