Categories: ଖେଳ

ଅନ୍ତିମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟ: ସିରିଜ ୧-୧ରେ ଡ୍ର

ମାଉଣ୍ଟ ମଙ୍ଗାନୁଇ,୩୧ା୧୨: ମାଉଣ୍ଟ ମଙ୍ଗାନୁଇସ୍ଥିତ ବାଇ ଓଭାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକଓ୍ବର୍ଥ ଲୁଇସ୍‌ ସିଷ୍ଟମ(ଡିଏଲ୍‌ଏସ୍‌) ଜରିଆରେ ୧୭ ରନ୍‌ରେ ବିଜୟ ହାସଲ କରିଛି।

ଫଳରେ ଦୁଇଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଡ୍ର ରହିଛି। ନ୍ୟୁଜିଲାଣ୍ଡରେ ପ୍ରଥମ ଥର ସିରିଜ ଜିତିବା ଲାଗି ବାଂଲାଦେଶ ଯେଉଁ ସ୍ବପ୍ନ ଦେଖିଥିଲା। ତାହା ଅଧୁରା ରହିଗଲା। ଘରୋଇ ଦଳକୁ ଜିତାଇବାରେ ମିଚେଲ ସାଣ୍ଟନର ଓ ଜିମ୍ମି ନିଶାମଙ୍କ ମଧ୍ୟରେ ୪୬ରନର ପାର୍ଟନରଶିପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହି ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯.୨ଓଭରରେ ସମସ୍ତ ଉଇକେଟ ହରାଇ ୧୧୦ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏକଦା ୯ ଓଭରରେ ୪୯ ରନ୍‌ରେ ୫ ଉଇକେଟ ହରାଇ ଥିଲା।

ନିଶାମ ଓ ସାଣ୍ଟନର ସତର୍କତାର ସହିତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ୧୫ତମ ଓଭରରେ ଦଳ ୫ ଉଇକେଟ ବିନିମୟରେ ୯୫ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା। ପରେ ଡକଓ୍ବର୍ଥ ଲୁଇସ୍‌ ସିଷ୍ଟମ(ଡିଏଲ୍‌ଏସ୍‌) ଜରିଆରେ ନ୍ୟୁଜିଲାଣ୍ଡକୁ ୧୭ ରନ୍‌ରେ ବିଜୟ ଘୋଷଣା କରାଯାଇଥିଲା।

Share