Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡର ବଡ଼ ଚାଲ୍‌: ଅଡୁଆରେ ପଡ଼ିପାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୧୦: ଆଜିକାଲି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ, ଯାହା ଅକ୍ଟୋବର ୧୬ରୁ ଆରମ୍ଭ ହେବ। ଏହି ଟେଷ୍ଟ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଏକ ବଡ ପଦକ୍ଷେପ ନେଇଛି, ଯାହା ଟିମ ଇଣ୍ଡିଆ ପାଇଁ କଷ୍ଟସାଧ୍ୟ ହୋଇପାରେ। ନ୍ୟୁଜିଲାଣ୍ଡର ତାରକା ସ୍ପିନର ଏଜାଜ ପଟେଲ ମୁମ୍ବାଇରେ ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ଭାରତ ଗସ୍ତ କରିବାକୁ ଆସୁଥିବା ନ୍ୟୁଜିଲାଣ୍ଡ ଦଳର ସେ ଏକ ଅଂଶ। ସେ ଭାରତୀୟ ପିଚ୍‌ରେ ଖାପ ଖୁଆଇବା ପାଇଁ ଆଗୁଆ ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇ ପାରନ୍ତି।
ନ୍ୟୁଜିଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଇଜାଜ ଭାରତର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ବହୁ ବର୍ଷ ପୂର୍ବେ ନ୍ୟୁଜିଲାଣ୍ଡ ଯାଇଥିଲେ। ତାଙ୍କୁ ଜାଣିଥିବା କିଛି ଲୋକ ତଥାପି ମୁମ୍ବାଇରେ ରୁହନ୍ତି। ଏହି ପରିଚିତମାନଙ୍କୁ ଭେଟିବା ପାଇଁ ଏଜାଜ ମୁମ୍ବାଇ ଆସିଥିଲେ। ଏହି ସମୟ ମଧ୍ୟରେ ସେ ମୁମ୍ବାଇରେ ଅଭ୍ୟାସ କରିଥିଲେ।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ, କିୱି ଦଳ ଶୁକ୍ରବାର ଭାରତ ଅଭିମୁଖେ ଯାତ୍ରା କରିବେ। ଏଜାଜ ଗୁରୁବାର ମୁମ୍ବାଇରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ ଏବଂ ତା’ପରେ ସେଠାରେ କିୱି ଦଳରେ ଯୋଗଦେବେ।

Share