Categories: ଖେଳ

ସପ୍ତମ ଟି୨୦ ବିଶ୍ୱକପ୍‌ ଖେଳିବେ ଗୁପ୍‌ଟିଲ

ଖ୍ରିଷ୍ଟଚର୍ଚ୍ଚ, ୨୧ା୯(ପି.ଟି.): ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର କେନ୍‌ ଓ୍ବିଲିୟମସନଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ବ୍ୟାଟିଂ ଷ୍ଟଲଓ୍ବାର୍ଟ ମାର୍ଟିନ ଗୁପ୍‌ଟିଲ ରେକର୍ଡ ୭ମ ଥର ଟି୨୦ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ଗତବର୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲ ଖେଳିଥିବା ନ୍ୟୁଜିଲାଣ୍ଡ ଦଳରେ ୩ ପରିବର୍ତ୍ତନ କରାଯାଇଛି। ୩୫ ବର୍ଷୀୟ ଗୁପ୍‌ଟିଲଙ୍କୁ ଏଥିରେ ସ୍ଥାନ ମିଳିଛି। ଫିନ୍‌ ଆଲେନ୍‌ ଓ ମାଇକେଲ ବ୍ରେସ୍‌ଓ୍ବେଲ ସେମାନଙ୍କ ପ୍ରଥମ ସିନିୟର ବିଶ୍ୱକପ୍‌ ଖେଳିବେ। ଏହି ଦୁଇ ଜଣଙ୍କ ବ୍ୟତୀତ ଲୋକି ଫର୍ଗୁସନଙ୍କୁ ଗତ ଟି୨୦ ବିଶ୍ୱକପ୍‌ର ଅଂଶବିଶେଷ ରହିଥିବା କାଇଲ ଜେମିସନ, ଟଡ୍‌ ଆସ୍‌ଲେ ଓ ଟିମ୍‌ ସିଫର୍ଟଙ୍କ ସ୍ଥାନରେ ନିଆଯାଇଛି। ନିକଟରେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଗ୍ରହଣ କରି ନ ଥିବା ଟ୍ରେଣ୍ଟ ବୋଲ୍ଟ ଓ ଜିମ୍ମି ନିଶାମଙ୍କୁ ଦଳରେ ସାମିଲ କରାଯାଇଛି। ବୋଲ୍ଟ, ଫର୍ଗୁସନ, ଟିମ୍‌ ସୌଦି ଓ ଆଡାମ୍‌ ମିଲ୍‌ନେଙ୍କୁ ନେଇ ନ୍ୟୁଜିଲାଣ୍ଡର ପେସ୍‌ ବାହିନୀ ବେଶ୍‌ ଶକ୍ତିଶାଳୀ। ଇଶ୍‌ ସୋଧି ସ୍ପିନ ଆଟାକ୍‌ର ନେତୃତ୍ୱ ନେବେ। ତାଙ୍କ ସହିତ ରହିବେ ବ୍ରେସ୍‌ଓ୍ବେଲ ଓ ମିଚେଲ ସାଣ୍ଟନର। ଗ୍ଲେନ ଫିଲିପ୍ସ, ଡେରିଲ ମିଚେଲ, ସାଣ୍ଟନର, ବ୍ରେସ୍‌ଓ୍ବେଲ ଓ ନିଶାମ ଉଭୟ ବ୍ୟାଟିଂ ଓ ବୋଲିଂରେ ଅବଦାନ ରଖିବେ। ଡେଭନ କନଓ୍ବେଙ୍କୁ ଫ୍ରଣ୍ଟଲାଇନ୍‌ ଉଇକେଟକିପର ଭାବେ ନିଆଯାଇଛି। ୟୁଏଇରେ ଏବଂ ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ଓ୍ବିଲିୟମସନ ତୃତୀୟ ଥର ପାଇଁ ଆଇସିସି ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବେ। ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଅକ୍ଟୋବର ୨୨ରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ଓପନିଂ ମ୍ୟାଚ ଖେଳି ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିବ।

Share