Categories: ଖେଳ

ନ୍ୟୁଜିଲାଣ୍ଡର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୦।୧୦: ଓ୍ବିଲ୍‌ ୟଙ୍ଗ୍‌, ରାଚିନ ରବୀନ୍ଦ୍ର ଓ ଅଧିନାୟକ ଟମ୍‌ ଲଥାମଙ୍କ ଅର୍ଦ୍ଧଶତକ ଏବଂ ମିଚେଲ ସାଣ୍ଟନରଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଉଦ୍‌ଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଉଇକେଟରେ ହରାଇଥିବା ଏହି ଦଳ ସୋମବାର ନେଦରଲାଣ୍ଡ୍ସକୁ ୯୯ ରନରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୩୨୨ ରନର ବୃହତ୍‌ ସ୍କୋର ଛିଡ଼ା କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୪୬.୩ ଓଭରରେ ୨୨୩ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ସାଣ୍ଟନର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ୱିତୀୟ ବିଜୟ ସହ ୪ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ଟେବୁଲର ଶୀର୍ଷରେ ନିଜର ସ୍ଥାନ ଦୃଢ଼ କରିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡର ଟପ୍‌ ଓ ମିଡିଲ ଅର୍ଡର ବ୍ୟାଟରମାନେ ଭଲ ଖେଳିଥିଲେ। ଶେଷ ଭାଗରେ ସାଣ୍ଟନର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୭ ବଲ୍‌ରୁ ୩୬ (୩ ଚୌକା, ୨ ଛକା) ରନ କରିବାରୁ ଦଳ ୩୦୦ ରନ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ଓ୍ବିଲ ୟଙ୍ଗ ସର୍ବାଧିକ ୭୦, ରାଚିନ ୫୧, ଅଧିନାୟକ ଟମ୍‌ ଲଥାମ ୫୩, ଡାରିଲ ମିଚେଲ ୪୮ ଓ ଡେଭନ କନଓ୍ବେ ୩୨ ରନ କରିଥିଲେ। ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ଉଇକେଟରେ ଅର୍ଦ୍ଧଶତକୀୟ ଭାଗୀଦାରି ଯୋଗୁ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ଆଡ଼କୁ ମୁହାଁଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଆର୍ଯ୍ୟନ ଦତ୍ତ, ଭାନ୍‌ ମେକେରେନ ଓ ଭାନ୍‌ ଡର ମେରଓ୍ବେ ୨ଟି ଲେଖାଏ ଏବଂ ବାସ୍‌ ଡି ଲିଡ୍‌ ଗୋଟିଏ ଉଇକେଟ ନେଇଥିଲେ। ବଡ଼ ସ୍କୋରକୁ ଚେଜ୍‌ କରିବାର ଚାପ ନେଦରଲାଣ୍ଡ୍ସ ଇନିଂର ଆରମ୍ଭରୁ ଅନୁଭୂତ ହୋଇଥିଲା। କେବଳ କଲିନ ଆକରମାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟର ଦିଗହରା ବ୍ୟାଟିଂ କରିଥିଲା। ଫଳରେ ନିୟମିତ ବ୍ୟବଧାନରେ ଉଇକେଟ ପଡ଼ି ଚାଲିଥିଲା। ଆକରମାନ ସର୍ବାଧିକ ୬୯ ଓ ଅଧିନାୟକ ସ୍କଟ ଏଡଓ୍ବାଡର୍‌ସ ୩୦ ରନର ଯୋଗଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ ମିଚେଲ ୫୯ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିବାବେଳେ ମ୍ୟାଟ୍‌ ହେନରିଙ୍କୁ ୩ ଓ ରାଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଉଇକେଟ ମିଳିଥିଲା।

Share