ଧରାକୋଟ,୧୭ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବଡ଼ଦାଣ୍ଡ ସାହିର ଏକ ଅଳିଆ ଗଦାରୁ ଶୁକ୍ରବାର ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ଶୁକ୍ରବାର ସକାଳେ ଏକ ଶିଶୁପୁତ୍ର କାନ୍ଦୁଥିବା ଶୁଣାଯାଇଥିଲା। ସେତିକିବେଳେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ସେ ଧରାକୋଟ ସିଡିପିଓ, ପୋଲିସ ଏବଂ ବାଲୁଙ୍କେଶ୍ୱର ଅନାଥ ଆଶ୍ରମ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଖବର ଦେଇଥିଲେ।
ନବଜାତ ଶିଶୁର ଓଜନ ୨୮୦୦ ଗ୍ରାମ୍ ଥିବା ସହ ଖାଦ୍ୟ ଖାଇବାରେ ଅସୁବିଧା ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚାଇଲ୍ଡ ଲାଇନର ପରାମର୍ଶ ଦାତ୍ରୀ ପ୍ରିୟଙ୍କା ବେହେରାଙ୍କ ତତ୍ତ୍ୱାବଧାନରେ ଶିଶୁଙ୍କ ଚିକିତ୍ସା କରାଯାଉଛି। ଧରାକୋଟ ବାଲୁମିକେଶ୍ବର ଅନାଥ ଆଶ୍ରମ ସ୍ବେଚ୍ଛାସେବୀ କାଳିଆ ବେହେରା, ଟୁନା ଦୋରା ପ୍ରମୁଖ ମେଡିକାଲରେ ଉପସ୍ଥିତ ଥିଲେ।