ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଆଜି ସକାଳେ କଳାରାହଙ୍ଗ ଗ୍ରାମର କିଛି ଲୋକ ଗାଧୋଇବା ପାଇଁ ଗ୍ରାମମୁଣ୍ଡରେ ଥିବା ବଡ଼ପୋଖରୀକୁ ଯାଇଥିଲେ। ହୁଡାକୁ ଲାଗି ତିଆରି ହେଉଥିବା ଏକ ଆପାର୍ଟମେଣ୍ଟ ପଛପଟକୁ ଜଣେ ଯୁବକ ଶୌଚ ଯାଇଥିବାବେଳେ ଛୋଟପିଲାର କାନ୍ଦିବା ଶୁଣିବାକୁ ପାଇଥିଲେ। କାନ୍ଦକୁ ଅନୁସରଣ କରି ଯିବା ପରେ ଏକ ଗଛମୂଳରେ ନବଜାତ ଶିଶୁଟିକୁ ଦେଖିବାକୁ ପାଇଥିଲେ। ଏକ ଶାଢ଼ି ଉପରେ ଶିଶୁଟି ଶୋଇଥିବାବେଳେ ଛୋଟହିଂସ୍ର ଜନ୍ତୁ କାମୁଡ଼ି ମୁହଁ ସହ ଆଙ୍ଗୁଠି ଓ କାନକୁ କ୍ଷତାକ୍ତ କରିଦେଇଥିବାର ଜଣାପଡ଼ିଥିଲା। ଏହା ସତ୍ତ୍ୱେ ପିଲାଟି ବଞ୍ଚିଥିବାର ଜାଣିବା ପରେ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା। ଖବରପାଇ ଇନଫୋସିସ୍‌ ଥାନା ପୋଲିସ ଆସି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି।