Categories: ଜାତୀୟ

ବ୍ରେନ୍‌ଡେଡ୍‌ ଘୋଷଣା ପରେ ୪ ଦିନର ଶିଶୁ କଲେ ଅଙ୍ଗଦାନ

ସୁରଟ,୧୯ା୧୦: ଗୁଜରାଟର ସୁରଟରେ ଜଣେ ୪ ଦିନର ବ୍ରେନ୍‌ଡେଡ୍‌ ନବଜାତ ଅଙ୍ଗଦାନ କରିଛନ୍ତି। ଏହି ଅମୂଲ୍ୟ ଦାନ କେତେଜଣ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ଡାକ୍ତର ଶିଶୁର ୨ କିଡ୍‌ନୀ, ୨ କାର୍ନିଆ, ଲିଭର ଏବଂ ପ୍ଳିହା ସଂଗ୍ରହ କରିଥିବା ଜଣାପଡିଛି।

ଜଣେ ୮ ମାସର ଶିଶୁଠାରେ କିଡ୍‌ନୀ ପ୍ରତିରୋପଣ ଲାଗି ଏହାକୁ ଅହମଦାବାଦର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କିଡ୍‌ନୀ ଡିଜିଜ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଥିବା ବେଳେ ଜଣେ ୧୦ ମାସର ଶିଶୁ ଦେହରେ ଲିଭର ଲଗାଇବା ପାଇଁ ଏହାକୁ ନୂଆଦିଲ୍ଲୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବାଇଲିଆରି ସାଇନ୍ସ (ଆଇଏଲ୍‌ବିଏସ୍‌)କୁ ପଠାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତ ୧୩ ତାରିଖରେ ସୁରଟର ବାଲକ ପଟିୟା ଅଞ୍ଚଳରେ ଜନ୍ମ ହୋଇଥିବା ଶିଶୁଟି ହଲଚଲ ନ ହେବା ଓ ନ କାନ୍ଦିବାରୁ ତାକୁ ଏକ ଶିଶୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ଉଦ୍ୟମ ସତ୍ତ୍ୱେ କୌଣସି ଫଳ ମିଳି ନ ଥିଲା। ପରେ ଡାକ୍ତର ଶିଶୁଙ୍କୁ ବ୍ରେନ୍‌ଡେଡ୍‌ ଘୋଷଣା କରିଥିଲେ। ଶିଶୁର ମା’ବାପା ଅଙ୍ଗଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଅଙ୍ଗଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ଅଙ୍ଗ ଦିପାବଳୀ ପୂର୍ବରୁ ଅନ୍ୟ କେତେଜଣ ପିଲାଙ୍କ ଜୀବନରେ ଆଲୋକ ଆଣିପାରିବ।

Share