Categories: ଜାତୀୟ

କରୋନାରେ ନବନିର୍ବାଚିତ ଏମ୍‌ପିଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୯: ରାଜ୍ୟ ସଭାର ନବନିର୍ବଚିତ ସଦସ୍ୟ ଅଶୋକ ଗସ୍ତିଙ୍କ କରୋନାରେ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କର ବୟସ ୫୫ ବର୍ଷ ଥିଲା। ସେପ୍ଟେମ୍ବର ୨ରେ କରୋନା ଆକ୍ରାନ୍ତ ହୋଇ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗସ୍ତି ଗୁରୁତର ଅସୁସ୍ଥ ଥିଲେ। ତାଙ୍କର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା ଏବଂ ସେ ଲାଇଫ ସପୋର୍ଟ ସିଷ୍ଟମରେ ଥିଲେ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ଏକ ପ୍ୟାନେଲ ତାଙ୍କ ସ୍ବାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଥିଲେ। କର୍ନାଟକରେ ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ତଥା ରାଇଚୁରର ବାସିନ୍ଦା ଗସ୍ତି ଚଳିତ ବର୍ଷ ଜୁନ ମାସରେ ଭାଜପା ଟିକେଟରେ ରାଜ୍ୟ ସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଗସ୍ତି ଜଣେ ଆରଏସଏସ କାର୍ଯ୍ୟକର୍ତ୍ତା ତଥା ଅଭୟ ଭାରତୀୟ ଭାରତୀୟ ବିଦ୍ୟା ପରିଷଦର ସକ୍ରିୟ ସଦସ୍ୟ ଥିଲେ। ଗସ୍ତିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି କହିଛନ୍ତି, ରାଜ୍ୟ ସଭା ସଦସ୍ୟ ଅଶୋକ ଗସ୍ତି ଜଣେ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତା ଥିଲେ। ସେ କର୍ନାଟକରେ ଦଳକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସେ ଗରିବ ଏବଂ ସମାଜର ବଞ୍ଚିତ ବର୍ଗଙ୍କୁ ସଶକ୍ତ କରିବାକୁ ଆଗ୍ରହୀ ଥିଲେ। ତାଙ୍କ ମୃତ୍ୟୁରେ ମୁଁ ଦୁଃଃଖିତ। ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ମୋର ସମବେଦନା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share