ନବବିବାହିତାଙ୍କୁ ହତ୍ୟା ଅଭିଯୋଗ

ରସୁଲପୁର,୨।୧୦(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ନବ ବିବାହିତାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଗ୍ରାମର ରାଜକିଶୋର ମଳିକଙ୍କ ସ୍ତ୍ରୀ ପିଙ୍କି ପ୍ରଧାନ। ଏ ସମ୍ପର୍କରେ ପିଙ୍କିଙ୍କ ବାପା ରଞ୍ଜନ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶାଶୁଘର ଲୋକେ ତାଙ୍କୁ ପିଟି ଦରମରା କରିବା ପରେ ତଣ୍ଟି ଚିପି ମାରି ଦେଇଛନ୍ତି। ପରେ ଏହାକୁ ଆତ୍ମହତ୍ୟାରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ପିଙ୍କିଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପ୍ରଥମେ ଥାନାରେ ନଂ-୧୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ନଂ.୩୦୨/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଗତ ଏପ୍ରିଲ ୧୪ରେ ଓରାଳି ଗ୍ରାମର ରାଜକିଶୋର ପିଙ୍କିଙ୍କୁ ତାଙ୍କ ଘରୁ ନେଇ ପଳାଇ ଆସିଥିଲେ। ପରେ ଉଭୟଙ୍କ ବିବାହ ହୋଇଥିଲା। ମାତ୍ର ବିବାହର କିଛି ଦିନପରେ ପିଙ୍କିଙ୍କୁ ତାଙ୍କ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏ ସମ୍ପର୍କରେ ଫିଙ୍କି ବାପଘର ଲୋକଙ୍କୁ ଫୋନରେ ଜଣାଇ ଆସୁଥିଲେ। ତେବେ ଶାଶୁଘର ଲୋକଙ୍କ ସହ ମିଶି ଚଳିବାକୁ ପିଙ୍କିଙ୍କୁ ତାଙ୍କ ମା’ବାପା ଓ ପରିବାରର ସଦସ୍ୟମାନେ ବୁଝାଇ କହୁଥିଲେ। ତେବେ ଦିନକୁ ଦିନ ନିର୍ଯାତନା ବଢୁଥିଲା। ମାତ୍ର ଏହାଜାଣି ବି ବାପଘର ଲୋକେ ଝିଅକୁ ଦେଖା କରିବାକୁ ଆସୁ ନ ଥିଲେ। ଏହି ସୁଯୋଗରେ ରାଜକିଶୋର ଓ ତାଙ୍କ ମା’ମଞ୍ଜୁଲତା ପିଙ୍କିକୁ ମାରିଦେଇ ଆତ୍ମହତ୍ୟାର ରୂପ ଦେଇଛନ୍ତି। ରାଜକିଶୋର ପିଙ୍କିଙ୍କ ଭାଇ ଅଜୟ ପ୍ରଧାନଙ୍କୁ ଫୋନ ଯୋଗେ ପିଙ୍କି ମରି ଯାଇଥିବା ସମ୍ପର୍କରେ ଜଣାଇଥିଲେ। ତେବେ ରାତି ଅଧିକ ହୋଇଥିବାରୁ ସେମାନେ ଓରାଳି ଗାଁକୁ ଆସିପାରି ନ ଥିଲେ। ପିଙ୍କିକୁ ମାରି ଦେଇ ଚିକିତ୍ସା କରିବା ଆଳରେ ଶାଶୁଘର ଲୋକେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପିଙ୍କିକୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପିଙ୍କିଙ୍କ ବାପା ଥାନାରେ ଦେଇଥିବା ଅଭିଯୋରେ ଉଲ୍ଲେଖ କରିଛନ୍ତି। ପିଙ୍କି ଆତ୍ମହତ୍ୟା କରିଥିବା ଶାଶୁଘର ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।