ବରଗଡ଼ ଅଫିସ୍,୨।୧୦: ବଜ୍ରପାତ ଯୋଗୁ ଶନିବାର ବରଗଡ଼ ବ୍ଲକ କଲାପାଣି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଏଗାର ଓରଫ ଗୌର ଭୁଏ(୪୦)।
ସୂଚନା ମୁତାବକ, ଗୌର ଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି ସେ ଘରକୁ ଫେରିବା ବାଟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଫଳରେ ସେ ଏକ କୃଷ୍ଣଚୂଡ଼ା ଗଛମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ କୃଷ୍ଣଚୂଡ଼ା ଗଛ ଦୁଇଫାଳ ହେବା ସହିତ ଗୌରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା ପଠାଇଛି । ଗୌର ପ୍ରାୟ ୬ ମାସ ତଳେ ବିବାହ କରିଥିବା ସୂଚନା ମିଳିଛି ।