ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ଜଣେ ନବବଧୂ l ଏନେଇ ଝିଅ ବାପଘର ପକ୍ଷରୁ ହୁମା ଫାଣ୍ଡିରେ ଏତଲା ଦିଆଯାଇଥିଲା। ଉକ୍ତ ଘଟଣାରେ ସ୍ବାମୀ ପିଣ୍ଟୁ ପ୍ରଧାନ, ଶ୍ୱଶୁର ପବନା ପ୍ରଧାନ ଓ ଶାଶୁ କନ୍ଧୁଣୀ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହୁମା ଫାଣ୍ଡି ପୋଲିସ।
ପ୍ରକାଶଯୋଗ୍ୟ, ସାତୁଳୀ ଗ୍ରାମର ବନମାଳୀ ବାରିକିଙ୍କ ଝିଅ ଜ୍ୟୋତି ଗତ ଏପ୍ରିଲ ମାସରେ ପୋଡାଗଡ଼ ଗ୍ରାମର ପବନାଙ୍କ ପୁଅ ପିଣ୍ଟୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପରେ ଶାଶୁ ଓ ଶ୍ୱଶୁର ଅଧିକ ଯୌତୁକ ଆଣିବା ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଏଥିପାଇଁ ଝିଅ ବାପଘରକୁ ବୁଲିବାକୁ ଯାଇ ଆଉ ଶାଶୁଘର ଯିବି ନାହିଁ ବୋଲି ଜିଦ୍ ଧରିବା ସହ ଘଟଣା ସମ୍ପର୍କରେ ବାପା ଭାଇଙ୍କୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ବାପା ମା’ ବୁଝାସୁଝା କରିବା ପରେ ଅଗଷ୍ଟ ୧ରେ ଶାଶୁ ଘରକୁ ବୋହୂ ଜ୍ୟୋତି ଆସିଥିଲେ। ପୁଣି ନିର୍ଯାତନା ଦେବାରୁ ଜ୍ୟୋତି ସହ୍ୟ କରି ନ ନ ପାରି ଶେଷରେ ଘରେ ଥିବା ପୋକ ମରା ଔଷଧ ଖାଇ ଆତ୍ମହତ୍ୟା କରିଥିଲେ। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।