ଦେବଗଡ଼,୧୭।୧(ଡି.ଏନ୍.ଏ.): ଦେବଗଡ଼ ଆଦର୍ଶ ଥାନା ଅଧୀନ ରମ୍ଭେଇ ଡାହିପାଳ ଗ୍ରାମର ନବଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଡାହିପାଳ ଗ୍ରାମର ଅଶୋକ ସାମାଡ ଏବଂ ଦନ୍ତାରିବାହାଲ ଗ୍ରାମର ନିରାଶ ଦେବଗନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ରହି ଆସିଥିଲା। ଗତ ୧ ତାରିଖ ଉଭୟେ ଘରୁ ପଳାଇ ବିବାହ କରିଥିଲେ। ୪ ଦିନ ତଳେ ଅଶୋକ ନିଜ ଘରକୁ ନିରାଶଙ୍କ ସହ ଆସିଥିଲେ। ପରିବାର ଲୋକେ ସେମାନଙ୍କ ବିବାହକୁ ସ୍ବୀକୃତି ଦେଇ ନିରାଶଙ୍କୁ ବୋହୂ ଭାବେ ଗ୍ରହଣ କରିଥିଲେ।
ରବିବାର ରାତିରେ ଖାଇ ଶୋଇବାକୁ ଯାଇଥିଲେ। କିଛି ସମୟ ପରେ ଉଭୟେ ବାନ୍ତି କରିଥିଲେ। ସେମାନେ ବିଷ ପିଇ ଥିବା ପରିବାର ଲୋକେ ଜାଣି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।